ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା: ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ବିନା ଭକ୍ତରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା; ସକାଳ ସାଢେ ୭ଟାରୁ ଶ୍ରୀଜିଉଙ୍କ ଜଳଲାଗି ସ୍ନାନନୀତି

209

କନକ ବ୍ୟୁରୋ: ଆଜି ଅନୁଷ୍ଠିତ ହେଉଛି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ବିଳମ୍ବିତ ରାତିରୁ ପହଣ୍ଡିରେ ଚତୁର୍ଧା ମୂର୍ତି ସ୍ନାନମଣ୍ଡପକୁ ଆସିଛନ୍ତି । ଏହା ଗୁପ୍ତ ଭାବରେ କରାଯାଇଛି । ପରବର୍ତୀ ବିଭିନ୍ନ ନୀତିରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ – ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହେବ । ସକାଳ ୧୦ଟା ୩୦ରେ ଛେରାପହଁରା ନୀତି ହେବ । ଏହା ପରେ ଦିନ ୧୧ଟାରୁ ଦିନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉ ହାତୀ ବେଶରେ ଦର୍ଶନ ଦେବେ ।

ପରେ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଚାଲିବ ଏବଂ ଶ୍ରୀଜିଉ ଅଣସର ପିଣ୍ଡିକୁ ଯିବେ । ଏହା ସହ ଶୁକ୍ରବାର ରାତି ୪ଟା ରୁ ଅନବସର ନୀତି ଆରମ୍ଭ ହେବ ବୋଲି ନୀତି ନିର୍ଘଂଟ ହୋଇଛି । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କୌଣସି ଧାର୍ମିକ ସମାବେଶ ଅନୁଷ୍ଠିତ ହେଉ ନାହିଁ ।
ଫଳରେ ବିନା ଭକ୍ତଙ୍କ ଉପସ୍ଥିତିରେ ଏହି ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି । ପୁରୀ ବଡଦାଣ୍ଡରେ ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବଡଦାଣ୍ଡକୁ ୭ଟି ଜୋନରେ ବିଭକ୍ତ କରାଯାଇ ପ୍ରତି ଜୋନରେ ସିସିଟିଭି ଲାଗିଛି । ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ତଦାରଖ ଲାଗି ୧୫୦ ପୋଲିସ ଅଧିକାରୀ ଓ ୬ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି । ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହୋଇଛି । ତେବେ ସାଧାରଣ ଲୋକ ଶ୍ରୀଜିଉଙ୍କ ସ୍ନାନ ଯାତ୍ରାକୁ ଟିଭି ଓ ୱେବ୍ ପୋର୍ଟାଲ ଜରିଆରେ ଦେଖିବା ବ୍ୟବସ୍ଥା । ଆପଣ ମଧ୍ୟ କନକ ନ୍ୟୁଜ ଚ୍ୟାନେଲ ଏବଂ ୟୁଟ୍ୟୁବ ତଥା ଫେସ୍ବୁକ୍ରେ ସ୍ନାନଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ।