ଆଜି ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା : ବିନା ଭକ୍ତରେ କୋଭିଡ୍ ନିୟମ ଅନୁସାରେ ଚାଲିଛି ନୀତିକାନ୍ତି, ମଧ୍ୟରାତ୍ରୀରୁ ପହଣ୍ଡି 

189

କନକ ବ୍ୟୁରୋ : ଆଜି ସ୍ନାନପୂର୍ଣ୍ଣିମା । ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ସ୍ନାନ ନୀତି । ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏହାପରେ ଗଜବେଶରେ ଦର୍ଶନ ଦେବେ ବଡ଼ ଠାକୁର । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ  କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରୁନାହାନ୍ତି ଗଜପତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି  ଜଣାଇ ଦେଇଛନ୍ତି ଗଜପତି ।

ପରମ୍ପରା ଅନୁଯାୟୀ ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବାୟତ ଚଳିତ ବର୍ଷ ଛେରାପହଁରା ନୀତି ସଂପାଦନ କରିବେ । ମଧ୍ୟରାତିରୁ ସ୍ନାନଯାତ୍ରା ପାଇଁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଜିଉ । ହାତୀବେଶ ୧୧ଟା ସୁଦ୍ଧା କରିବାକୁ ନିଷ୍ପତି ନିଆଯାଇଛି । ବେଶ ଓଲାଗି ଓ ବାହୁଡ଼ା ପହଣ୍ଡି ଅପରାହ୍ନ ୪ଟାରୁ ଅପରାହ୍ନ ୫ଟା ମଧ୍ୟରେ ହେବ । ଏହା ପରେ ଅଣସର ପିଣ୍ଡିରେ ନୀତି ଆରମ୍ଭ କରାଯିବ । କୋଭିଡ କଟକଣା ଯୋଗୁଁ ସେବାୟତଙ୍କୁ ମାସ୍କ ଓ ସାନିଟାଇଜର ଦିଆଯିବା ସହ କେବଳ ସ୍ନାନଯାତ୍ରା ପାଇଁ ସ୍ୱତନ୍ତ୍ର ପାସ୍ ଦିଆଯାଇଛି ।