୧୦୮ ଗରା ଜଳରେ ଶ୍ରୀଜିଉଙ୍କ ମହାସ୍ନାନ । ସ୍ନାନ ପରେ ଗଜ ବେଶ ଧାରଣ କରିବେ ମହାପ୍ରଭୁ

65

କନକ ବ୍ୟୁରୋ : ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । ଏହି ଅବସରରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ । କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।

ଆଜି ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଥିଲେ । ସ୍ନାନମଣ୍ଡପରେ ମଙ୍ଗଳ ଆଳତି ପରେ ଅନ୍ୟ ନୀତିକାନ୍ତି ଚାଲିଛି ।  ଷୋଡ଼ଷ ଉପଚାର ପୂଜା ପରେ ଏବେ ୧୦୮ ଗରା ଜଳରେ  ସ୍ନାନ କରୁଛନ୍ତି ମହାପ୍ରଭୁ ।

ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଇଛି । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଇ ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଉଛି l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ଜଳ ଲାଗି କରାଯାଉଛି । ଏହାକୁ “ପ୍ରତ୍ୟେକ୍ଷ ଅବକାଶ” କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ ।ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ ।

ତେବେ ଦିନ ସାଢେ ୧୦ଟା ବେଳକୁ ଛେରାପହରା ବିଧି କରାଯିବ । ଗଜପତି ମହାରାଜା ଆଜି ଛେରାପହରା କରିବେ ନାହିଁ । ତାଙ୍କ ବଦଳରେ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହରା କରିବେ । ଆଜି ଦିନ ୧୧ଟା ରୁ ୧୨ଟା ମଧ୍ୟରେ ଶ୍ରୀଜୀଉମାନଙ୍କ ହାତୀବେଶ କରାଯିବାକୁ ସମୟ ଧାର୍ଯ୍ୟ ହୋଇଛି ।

Comments are closed.