ଜଗା ତୁ ଯାଆନା… ଆମକୁ ଛାଡି ତୁ ଫେରିଯାଆନା… ଦୁଇ ମାସ ପରେ ଦେଖାଦେଇ ସାଙ୍ଗେସାଙ୍ଗେ ପଳେଇ ଯାଉଛୁ । ସ୍ନାନବେଦୀରୁ ଅଣସର ଘରକୁ ଫେରିଯିବା ବେଳେ କାନ୍ଦି କାନ୍ଦି କାଳିଆକୁ କହୁଛି ଭକତ…

722

କନକ ବ୍ୟୁରୋ; ଜଗା ତୁ ଯାଆନା… ଆମକୁ ଛାଡି ତୁ ଫେରିଯାଆନା… ତୁ ଗଲା ପରେ ଆମେ କାହାକୁ ଦେଖିବୁ । କରୋନା ପାଇଁ କେତେ ଦିନ ହେଲା ତତେ ଆମେ ଦେଖି ନଥିଲୁ । ଆଉ ଆଜି ତତେ ଦେଖି ଏ ଆଖି ପୂରି ଉଠିଛି । ତୋ ପାଖକୁ ଯାଇ ହେଲାନି ସିନା ହେଲେ ଘରେ ବସି ତୋ ସବୁ ଲୀଳା ଦେଖିଛୁ । ତତେ ଦେଖୁ ଦେଖୁ କେତେବେଳେ ସକାଳରୁ ସଞ୍ଜ ହୋଇଗଲା ଜାଣି ପାରିଲୁନି । ବଡଦାଣ୍ଡର ଖାଁ ଖାଁ ଭିତରେ ତୋ ଚକା ଚକା ଆଖି । ଶ୍ରୀକ୍ଷେତ୍ର ନଇଁ ଆସୁଥିବା ସନ୍ଧ୍ୟାରେ ନୀଳଚକ୍ରର ଦର୍ଶନ ସତରେ ଆମେ ଆଜି ଭାରି ଖୁସି ।

ହେଲେ ଅଣସରକୁ ଯିବା ପାଇଁ ତୋ ପହଣ୍ଡି ଭାରି କଷ୍ଟ ଦେଉଛି । ତୁ ପୁଣି ଥରେ ଫେରିଯିବୁ, ଅଣସରରେ ୧୪ ଦିନ ରହିବୁ । ୨ ମାସ ହେଲା ତତେ ନଦେଖି ଯେଉଁ କଷ୍ଟ ହୋଇଥିଲା ଏବେ ପୁଣି ତତେ ନଦେଖି ପାରିବାର ଯନ୍ତ୍ରଣା । ପହଣ୍ଡି ବେଳେ ଘରେ ବସି ମହାପ୍ରଭୁଙ୍କୁ ମନେମନେ ଏମିତି କହୁଛନ୍ତି ଭକ୍ତ । ଆଉ କାଳିଆ ବି ଭକ୍ତର ଭାବ ବୁଝି ଧିରେ ଧିରେ ଯାଉଛି, କଣେଇ କଣେଇ ଚାହୁଁଛି । ଆଉ ଟାହିଆ ହଲେଇ ଯିବିନି ଯିବିନି ବୋଲି ଇସାରା ଦେଉଛି । ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଆଜି ଦେଖିବାକୁ ମିଳିଥିଲା ଏମିତି କିଛି ଅପୂର୍ବ ଦୃଶ୍ୟ ।

ତେବେ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଯିବା ବାଟରେ କଟକଣାର ବାଡ ପକାଇ ଦେଇଛି କରୋନା, କିନ୍ତୁ ଭକ୍ତ ଭଗବାନଙ୍କ ମଧ୍ୟରେ ଥିବା ସଂପର୍କ ଅତୁଟ ରହିଛି । ଘରେ ବସି ଟିଭି ଜରିଆରେ ସ୍ନାନ ମଣ୍ଡପରୁ କାଳିଆ ସାଆନ୍ତଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ମନରେ ଅଛନ୍ତି ଭଗବାନ । ଯେଉଁ ଭାବ ଆଗରେ ପ୍ରତିବନ୍ଧକ ସାଜି ପାରିନାହିଁ ମହାମାରୀ କରୋନାର ଅଦୃଶ୍ୟ ପାଚେରୀ ।

ସ୍ନାନ ମଣ୍ଡପରେ ଶ୍ରୀଜିଉ, ହେଲେ ଭକ୍ତ ଶୂନ୍ୟ ବଡଦାଣ୍ଡ । ଭକତଙ୍କ ବିନା ମହାପ୍ରଭୁଙ୍କ ମହାସ୍ନାନ । ବିଳମ୍ବିତ ରାତିରୁ ବଡ ଭାଇ, ଗେହ୍ଲି ଭଉଣୀଙ୍କ ସହ ରତ୍ନବେଦିରୁ ଓହ୍ଲାଇ, ସ୍ନାନବେଦିରେ ବିଜେ କରିଛନ୍ତି ଜଗତର ନାଥ । ପ୍ରତିବର୍ଷ ଭଳି ଏଥର କାଳିଆ ଆସିଛି ସ୍ନାନ ମଣ୍ଡପକୁ ହେଲେ ବଡଦାଣ୍ଡରେ ଭକ୍ତଙ୍କ ଗହଳି ନାହିଁ, କି ହରିବୋଲ ହୁଳହୁଳିର ଶବ୍ଦ ଶୁଭୁନି । କରୋନା କଟକଣା ଯୋଗୁଁ କେବଳ ସେବାୟତଙ୍କୁ ନେଇ ବଡ ଠାକୁରଙ୍କ ସ୍ନାନ ନିତି ଅନୁଷ୍ଠିତ ହୋଇଛି । ଆଉ ଘୋଷଯାତ୍ରାର ଆଦ୍ୟପର୍ବକୁ କେବଳ ଟିଭି ମାଧ୍ୟମରେ ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଭକ୍ତ ।

ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଥିଲା ସ୍ନାନ ନୀତି । ବିଗ୍ରହଙ୍କ ସ୍ୱତନ୍ତ୍ର ଧୋ’ ପଖାଳ ନୀତି ପରେ ଅନୁଷ୍ଠିତ ହୋଇଥିଲା ମହାସ୍ନାନ ଉତ୍ସବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭ୍ରଦ, ଦେବୀ ସୁଭଦ୍ରାଙ୍କ ସ୍ନାନ ପାଇଁ ସାନ୍ନ ବେଦୀରେ ୧୦୮ କଳସ ସୁବାସିତ ଜଳ ଯୋଗାଇ ଦେଇଥିଲେ ଗରାବଡୁ ସେବାୟତ । ପରେ ଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିଲା । ସେହିଭଳି ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଛି ।

ଚିଳତ ବର୍ଷ ରାଜ୍ୟ ସରକାରଙ୍କ କରୋନା କଟକଣା ଭିତିରେ ନୀତି କାନ୍ତି କରାଯାଉଥିବା ବେଳେ ସ୍ନାନ ମଣ୍ଡପକୁ ଆସିନଥିଲେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ । ସ୍ନାନ ମଣ୍ଡପରେ ଗଜପତିଙ୍କ ପ୍ରତିନିଧ ମୁଦିରସ୍ତଙ୍କ ଦ୍ୱାରା ଛେରାପହଁରା ଓ ଚାମର ସେବା ପରେ ଚତୁର୍ଧାମୂର୍ତି ଗଜାନନ ବେଶ କରାଯାଇଥିଲା । ବିଭିନ୍ନ ପ୍ରକାର ସୁଗନ୍ଧଯୁକ୍ତ ଫୁଲ ଓ ତୁଳସୀମାଳାରେ ଜଗନ୍ନାଥଙ୍କୁ କଳାହାତୀ, ବଳଭଦ୍ରଙ୍କୁ ଧଳାହାତୀ ଓ ସୁଭଦ୍ରାଙ୍କ କୁମାରୀ ବେଶ କରାଯାଇଛି । କାଳିଆ ଠାକୁରଙ୍କ ପାଇଁ ଗୋପାଳତୀର୍ଥ ମଠରୁ ହାତୀବେଶ ଆସିିଥିବା ବେଳେ ହଳଧର ଓ ହଳଦିମୁଖୀଙ୍କ ପାଇଁ ରାଘବଦାସ ମଠରୁ ଆସିଥାଏ ହାତୀବେଶ । ତଳୁଚ୍ଛ, ଭିତରଚ୍ଛ, ଖୁଂଟିଆ, ପାଳିଆ ପୁଷ୍ପାଳକ ଓ ଦଇତାପତିଙ୍କ ସହାୟତାରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ଗଜାନନ ବେଶ ହୋଇଛି । କୁହାଯାଏ, ଜଗନ୍ନାଥଙ୍କ ପରମଭକ୍ତ ଗଣପତି ଭଟ୍ଟଙ୍କ ଆନ୍ତରିକ ଇଚ୍ଛାରେ ପ୍ରଭୁ ସ୍ନାନବେଦୀରେ ଗଜାନନ ବେଶରେ ଦଶର୍ନ ଦେଇଆସୁଛନ୍ତି ।

ସ୍ନାନ ଯାତ୍ରା ପରେ ଆଉ ରତ୍ନ ବେଦୀକୁ ଫେରନ୍ତି ନାହିଁ ତିନି ଠାକୁର । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପୀଡିତ ହୁଅନ୍ତି ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିନ୍ତି ମହାପ୍ରଭୁ । ସ୍ନାନଯାତ୍ରାର ୧୬ ଦିନ ପରେ ଅନୁଷ୍ଠିତ ହୁଏ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତଙ୍କୁ ଦେଖା ଦେବା ପାଇଁ ବଡଦାଣ୍ଡକୁ ବାହାରି ଆସନ୍ତି ନିଜେ ଭଗବାନ ।