ଧରାପଡ଼ିଲା କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସାପ ବିଷ । କନକ ନ୍ୟୁଜ୍ ସାମ୍ବାଦିକ ସାପ ବିଷ ରାକେଟର କଲେ ପର୍ଦ୍ଦାଫାସ 

284

କନକ ବ୍ୟୁରୋ: ରାଜ୍ୟରେ ଚାଲିଛି ସାପ ବିଷର କାରବାର । ଆଉ ଏହାର ଦାମ ଜାଣିଲେ, ଯେ କେହି ଚମକି ପଡିବେ । ଗୋଟିଏ ଲିଟର ସାପ ବିଷର ଦାମ୍ କୋଟିଏ ଟଙ୍କା । ଆଉ ବିଦେଶରେ ଏହାର ଦାମ ୧୦ କୋଟିରୁ ଅଧିକ । କନକ ନ୍ୟୁଜର ରିପୋର୍ଟର ଛଦ୍ମବେଶରେ ସାପ ବିଷ ରାକେଟର ପର୍ଦ୍ଦାଫାସ କରିଛନ୍ତି । ଜଣେ ମହିଳାଙ୍କ ସମେତ ୬ ଜଣ ସାପ ବିଷ ଦଲାଲକୁ ଗିରଫ କରିବା ସହ ୧ ଲିଟର ୩୦୦ ମିଲିଲିଟର ବିଷ ଜବତ କରିଛି ବନ ବିଭାଗ ।

  • ରାଜ୍ୟରେ ଚାଲିଛି ସାପ ‘ବିଷ’ କାରବାର
  • ପର୍ଦ୍ଦାଫାସ କଲେ କନକ ନ୍ୟୁଜ ରିପୋର୍ଟର
  • ଲିଟର ‘ବିଷ’ର ଦାମ ୧ କୋଟି ଟଙ୍କା
  • ଅନ୍ତର୍ଜାତୀୟ ବଜାରରେ ୧୦ କୋଟି
  • ସାମନାକୁ ଆସିଲା ସାପ ବିଷର ସତ

ସାପ ‘ବିଷ’ କାରବାର କରୁଥିବା ଏକ ବଡ଼ ରାକେଟକୁ ଧରିଛି ବନ ବିଭାଗ । ବିଷ ବିକ୍ରେତା ଓ ଦଲାଲ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଜବତ କରାଯାଇଛି ୧ ଲିଟର ୩୦୦ ମିଲିଲିଟର ସାପ ବିଷ । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା । ଆଉ ଯଦି ଅନ୍ତଜାର୍ତୀୟ ବଜାରରେ ବିକ୍ରି କରାଯାଏ, ତେବେ ଏହାର ଦାମ ୧୦ କୋଟି ଟଙ୍କାରୁ ଅଧିକ । ଆଉ ପୂରା ଘଟଣାର ପର୍ଦ୍ଦାଫାସ କରିଛନ୍ତି କନକ ନ୍ୟୁଜର ରିପୋର୍ଟର ।

ସାପ ‘ବିଷ’ର ରାକେଟ ଧରିବା ପାଇଁ ଜାଲ ବିଛାଇ ଥିଲେ କନକ ନ୍ୟୁଜର ଅଣ୍ଡର କଭର ରିପୋର୍ଟର । ଜୀବନକୁ ବାଜି ଲଗାଇ କୋଟି କୋଟି ଟଙ୍କାର ଏହି ବେଆଇନ କାରବାରର ପର୍ଦ୍ଦାଫାସ କରିଥିଲେ । ଅତ୍ୟନ୍ତ ବିପଜ୍ଜନକ ଓ ରୋମାଂଚ ଭରା ଅପରେସନକୁ ସଫଳ କରାଯାଇଥିଲେ । ପୂରା କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ଫୋନ ନମ୍ବରର ଖିଅ ଧରି ବିଷ ବିକ୍ରେତା ଓ ଦଲାଲ ପାଖରେ ପହଁଚି ଯାଇଥିଲେ ଆମ ରିପୋର୍ଟର । ଭୁବନେଶ୍ୱରରେ ଗ୍ରାହକର ଛଦ୍ମବେଶରେ ବିଷ ବିକ୍ରେତାଙ୍କ ସହ ଯୋଗାଯୋଗ କରିଥିଲେ କନକ ନୁୃ୍ୟଜ ରିପୋର୍ଟର । ବଲାଙ୍ଗୀରରେ ରହି ପୂରା ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥିଲା ସାପ ବିଷ କାରବାରର ମାଷ୍ଟର ମାଇଣ୍ଡ ।

ବିଷ ବିକ୍ରେତାଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ବେଶ କସରତ କରିବାକୁ ପଡିଥିଲା । ଅପରେସନ ଆରମ୍ଭରେ ବନ ବିଭାଗକୁ ଜଣାଇ ଦିଆଯାଇଥିଲା । କନକ ନ୍ୟୁଜ ରିପୋର୍ଟର ସହ ବିନ ବିଭାଗର ଜଣେ ଅଧିôକାରୀ ସାଦା ପୋଷାକରେ ରହିଥିଲେ । ଜୟଦେବ ବିହାର, ମାଷ୍ଟର କାଂଟିନ୍, ମାର୍କେଟ ବିଲ୍ଡିଂ, ୬ ନମ୍ବର, ଭୁବନେଶ୍ୱରର ବିଭିନ୍ନ ଜାଗା ବୁଲାଇଥିଲା ଦଲାଲ । ଚଳଚିତ୍ରର କାହାଣୀ ଭଳି ଥିଲା ପୂରା ଅପରେସନ୍ । ପ୍ରତି ସ୍ଥାନରୁ ବିଷ ରାକେଟର ୨ ଜଣ ଲେଖାଁ ବ୍ୟକ୍ତି ଯୋଡି ହେଉଥିଲେ । ଶେଷରେ ବିଷ ଅସଲି କି ନକଲି ପରୀକ୍ଷା କରିବା ଆଳରେ ରାକେଟ୍କୁ ଟ୍ରାପ କରିଥିଲେ କନକ ନ୍ୟୁଜ ରିପୋର୍ଟର । ଯେତେବେଳେ ବିଷ ବୋତଲର ଠିପି ଖୋଲିଲେ, ସେତେବେଳେ ରାକେଟକୁ କାବୁ କରିଥିଲା ବନ ବିଭାଗ ।

ସାପ ବିଷର ଦାମ ଶୁଣିଲେ ଆପଣ ଚମକି ପଡ଼ିବେ । ଗୋଟିଏ ଲିଟର ବିଷର ଦାମ କଳାବଜାରରେ ୧ କୋଟି ହୋଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଏହାର ଦାମ ୧୦ ଗୁଣ ଅଧିକ । ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଛି କୋଟି କୋଟି ଟଙ୍କାର ଏହି କଳା କାରବାର । ଓଡିଶାର କୋଣ ଅନୁକୋଣରେ ରହିଛନ୍ତି ଦଲାଲ ଓ ଏଜେଂଟ । ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଉଛି ସାପବିଷ । କରୋନା ପୂର୍ବରୁ ପଡ଼ୋଶୀ ରାଜ୍ୟରେ ବିଷ ବିକ୍ରି କରାଯାଉଥିବା ବେଳେ ଏବେ ଓଡ଼ିଶାରେ ମିଳିଯାଉଛନ୍ତି ଗ୍ରାହକ । ତେବେ ଏହା ପଛରେ ବଡ଼ ବଡ଼ କଳା ବେପାରୀ ସାମିଲ ଥିବା ଅନୁମାନ କରାଯାଉଛି ।