କନକ ବ୍ୟୁରୋ: ଏମିତି କମ୍ ଲୋକ ଥିବେ ଯେଉଁମାନେ ସାପକୁ ଡରୁନଥିବେ । ଏମିତି କମ୍ ଲୋକ ଥିବେ ଯେଉଁମାନେ ସାପର ସୁରକ୍ଷା କଥା ଚିନ୍ତା କରୁଥିବେ । ଆଉ ସେଇ କମ୍ ଲୋକଙ୍କ ଭିତର ଅଭିନ୍ନ ଓ ଅନ୍ୟନ ହେଉଛନ୍ତି ମୟୂରଭଞ୍ଜର ସସ୍ମିତା ଗୋଚ୍ଛାୟତ । ସସ୍ମିତାଙ୍କ ସାପ ଧରିବାର କୌଶଳ ଯେମିତି ଭିନ୍ନ, ସରିସୃପଙ୍କୁ କାବୁ କରିବାର କଳା ସେମିତି ଅନନ୍ୟ । ବାରିପଦା ଅଞ୍ଚଳରେ ଯେଉଁଠି ବି ସାପର ଖବର ଆସିଲେ, ପ୍ରଥମେ ଖୋଜା ପଡ଼ନ୍ତି ସସ୍ମିତା ଗୋଚ୍ଛାୟତ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ, ସସ୍ମିତା ବର୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ସାପ ଧରି ଜଙ୍ଗଲରେ ଛାଡ଼ିଛନ୍ତି । ସେ ଧରିଥିବା ସାପ ଭିତରେ ରହିଛି- ଗୋଖର, ନାଗ, ତମ୍ପ, ଚିତା,ବଡା, ରଣା ଭଳି ବିଷଧର ସାପ । ଏଥିପାଇଁ ସମସ୍ତେ ତାଙ୍କୁ ସ୍ନେକ୍ କୁଇନ୍ ଅଫ୍ ବାରିପଦା ବୋଲି ସମ୍ମାନ କରନ୍ତି ।

Advertisment

ବାରିପଦା ସହରଠାରୁ ମାତ୍ର ୧୫ କିମି ଦୂରରେ "ନୁଆଗାଁ" । ଏହି ଗାଁରେ ନିଜ ପରିବାର ସହ ରୁହନ୍ତି ସସ୍ମିତା । ପରିବାର କହିଲେ ସ୍ୱାମୀ କ୍ରିଷ୍ଣା ଗୋଚ୍ଛାୟତ୍, ପୁଅ-ଝିଅ ଏବଂ ଶାଶୁ-ଶଶୁର । ସାପ ଧରିବାର ଏହି କୌଶଳ ସେ, ତାଙ୍କ ସ୍ୱାମୀ କ୍ରିଷ୍ଣା ଗୋଚ୍ଛାୟତଙ୍କ ଠାରୁ ଶିଖିଥିବା କଥା କହିଛନ୍ତି ସସ୍ମିତା । କ୍ରିଷ୍ଣା ସାପ ଧରିବା ସହ ଜଙ୍ଗଲି ପଶୁପକ୍ଷୀଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବେଶ ପରିଚିତ । ପ୍ରଥମେ ନିଜ ସ୍ୱାମୀଙ୍କୁ ସାପ ଧରିବାକୁ ବାରଣ କରୁଥିବା ସସ୍ମିତା, ଏବେ ଜୀବଜନ୍ତୁ ଓ ସରିସୃପଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ଏମିତି କି ବିଭିନ୍ନ ସମୟରେ ଲୋକଙ୍କ ଦ୍ୱାରା ଆଘାତ ପାଇ ଆହତ ହୋଇଥିବା ଜୀବଜନ୍ତୁ ଓ ସାପକୁ ମଧ୍ୟ ଚିକିତ୍ସା କରନ୍ତି ।

ସାଧାରଣତଃ ଲୋକେ ଅସରପା, ଝିଟିପିଟି ଓ ସାପ ଦେଖିଲେ ଭୟରେ ଛାନିଆ ହୋଇଯାଉଥିବା ବେଳେ କିଙ୍ଗକୋବ୍ରା, ଚନ୍ଦ୍ରବୋଡ଼, ନାଗ ଓ ଗୋଖର ଭଳି ହଜାର ହଜାର ବିଷଧର ସାପକୁ ଉଦ୍ଧାର କରିଛନ୍ତି ସସ୍ମିତା । ମହିଳା ଦିବସରେ ସସ୍ମିତାଙ୍କ ସାହାସ ଓ ସଫଳତାର କାହାଣୀ ସତରେ ପ୍ରଶଂସନୀୟ ।