ସାପ ଉପରେ ଚଢିଗଲା ଗାଡି । ମଲା ସାପକୁ ଜଗି ରହିଲା ସାଥୀ ସାପ । ସ୍ୱାର୍ଥପର ସମାଜକୁ ସାପ ଶିଖେଇଲା ସମ୍ପର୍କ କଣ ?

1,177

କନକ ବ୍ୟୁରୋ: କିଟମିଟ ଅନ୍ଧାର, ଖାଁ ଖାଁ ରାସ୍ତା । ଦୂରଦୂର ଯାଏଁ ମଣିଷମାନଙ୍କ ଦେଖାଦର୍ଶନ ନାହିଁ, ଯାଆସ ନାହିଁ, ଗାଡି ମଟରର କେଁ କାଁ ନାହିଁ । ରାତି ସାଢେ ୧୦ ପରେ ଶୀତୁଆ ରାତିର ରାଜୁତି ପରେ ସବୁଠି ଶୂନ୍ୟତା । ହେଲେ ଏହି ଶୀତ ଜଡସଡ ରାତିରେ ରାସ୍ତା ଉପରେ ଜାଡକୁ ଖାତିର ନକରି ସାଥିକୁ ଜଗିଛି ସାଥିଟିଏ । ରାସ୍ତା ପାରି ବେଳେ କେଉଁ ଏକ ଅମଣିଷ ଗାଡି ମଡେଇ ଦେଲା ଯେ, ସେଇ ରାସ୍ତା ଉପରେ ହିଁ ସାପଟିର ଜୀବନ ଚାଲିଗଲା । ଆଉ ସାଥୀ ସାପ ତା ପାଖକୁ ଆସିବା ବେଳକୁ ସବୁ ସରିଯାଇଥିଲା । ନା ଦେହରେ ଜୀବନ ଥିଲା, ନା ବଞ୍ଚାଇବାର କିଛି ଉପାୟ ଥିଲା । କଳା ମଚମଚ ସଡକ ଉପରେ ଗାଡି ଚକ ଚାପିଦେବା ପରେ ରାସ୍ତାଟା ପୂରା ରକ୍ତରେ ଲାଲ ହୋଇଯାଇଥିଲା ।

ଆଖି ଆଗରେ ସାପର ମୃତ୍ୟୁ ଦେଖି ସେମିତି ଜଗି ରହିଥିଲା ସାଥୀ ସାପ । ନା କାହାକୁ ସାହାଯ୍ୟ ପାଇଁ ଚିଲେଇ ଚିଲେଇ ଡାକି ପାରୁଥିଲା । ନା ନିଜେ କିଛି କରି ପାରୁଥିଲା । ମଣିଷ ହୋଇଥିଲେ ସିନା କେହି ଲୋକ ସହାୟତାର ହାତ ବଢାଇଥାନ୍ତେ । ପାଟିଶୁଣି ଅଟକିଯାଇଥାନ୍ତେ । ହେଲେ ସେ ପରା ଶରୀସୃପ । ତା ପରେ ପୁଣି ସାପ । ତେଣୁ ତାକୁ କାହାର ବା ଦୟା । ସର୍ପାଘାତ ଭୟରେ ଲୋକେ ମାରିବାକୁ ଗୋଡାନ୍ତି ସିନା ହେଲେ କେହି ଆହା ପଦେ କୁହନ୍ତିନି । ସାପ ମାନେ ହିଁ ଭୟ ଆତଙ୍କର ନାଁ, ଘୃଣା ଡରର ନାଁ । ତେଣୁ କିଏ ବା କଣ ପାଇଁ ଅଟକିଯିବ ଏ ଅସହାୟ ସାପକୁ ଦେଖି । ଶୂନଶାନ ଜନପଥ ନିର୍ଜନ ହେବା ପରେ ସେହି ରାସ୍ତା ଉପରେ ହିଁ ମଲା ସାପକୁ ଜଗି ରହିଥିଲା ଅନ୍ୟ ସାପଟିଏ ।

ଆଜିକାଲିର ସ୍ୱାର୍ଥପର ସମାଜରେ ଯେଉଁଠି ମଣିଷ ମଣିଷକୁ ଛାଡି ପଳାଉଛି । ପିଲାମାନେ ବାପାମାଆଙ୍କୁ ଛାଡି ପଳାଉଛନ୍ତି ତ ସ୍ୱାମୀ ସ୍ତ୍ରୀକୁ ଛାଡି କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡି ଅନ୍ୟର ହାତ ଧରି ପଳାଇଯାଉଛନ୍ତି । ଜନ୍ମକଲା ମାଆ ବି ନିଜ ଛୁଆର ମୁହଁକୁ ନଚାହିଁ ଛାଡି ପଳାଉଛି… ଠିକ୍ ସେତିକିବେଳେ ମଲା ସାପର ପାଖଛାଡି ଯାଇ ନଥିଲା ଅନ୍ୟ ସାପ । କୋରାପୁଟ ଜୟପୁର ରାସ୍ତା ଗାନ୍ଧୀ ଛକ ନିକଟର ଏ ଦୃଶ୍ୟ ସମସ୍ତଙ୍କୁ ଭାବ ଭାବ କରିଛି ।

ହୁଏତ ଏ ସାପ, ମୃତ ସାପର ସାଥୀ ହୋଇପାରେ କିମ୍ବା ମାଆ ହୋଇପାରେ ଅବା ହେଇପାରେ ସମ୍ପର୍କୀୟ । ହେଲେ ଏମିତି ଏ ଦୁର୍ଘଟଣାରେ ଯେତେବେଳେ ଅନ୍ୟ ସାପଟି ମରିଯାଉଛି ସାଥୀ ସାପ ତା ଶବକୁ ଜଗି ରହୁଛି । କାଳେ ତା ସାଥୀ ଉଠିଯିବ, କାଳେ ତା ପିଲା ପୁଣି ଫେରି ଆସିବ, କାଳେ ତା ମାଆ ମୃତ୍ୟୁ ମୁହଁରୁ ଜୀବିତ ଫେରିବ । ସାପମାନେ ଯଦି ପାଟିଖୋଲି ପାରୁଥାନ୍ତେ ହୁଏତ କହି ପାରିଥାନ୍ତେ ଶବ ସାଜିଥିବା ସାପର ସମ୍ପର୍କ କଣ ? ମୃତ ସାପ ସାଥୀ ସାପର କଣ ହେବ ବୋଲି? କିନ୍ତୁ ବିନା ସମ୍ପର୍କର କଥା କହୁଥିବା ଏ ଦୃଶ୍ୟ, ଏ ଚିତ୍ର ସ୍ୱାର୍ଥପର ସମାଜକୁ ସମ୍ପର୍କର ଶିକ୍ଷା ଦେଉଛି ।