ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଛି କୃଷ୍ଣଲୀଳା । ଗୋପପୁରବାସୀଙ୍କୁ ଭୟଭୀତ କରିଥିବା କାଳୀୟ ସର୍ପର ଗର୍ବକୁ ଗଞ୍ଜନ କଲେ, ଗୋପ ଦୁଃଖ ଦୂର କଲେ ଶ୍ରୀକୃଷ୍ଣ

ଆଜି ଅଭିନିତ ହେବ ବସ୍ତ୍ରହରଣ ଦୃଶ୍ୟ

253

କନକ ବ୍ୟୁରୋ: ଗୋପପୁରରେ କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା ଜମି ଆସୁଥିବା ବେଳେ ଆଜି ଅଭିନିତ ହେବ ବସ୍ତ୍ରହରଣ ଦୃଶ୍ୟ । ଗୋପୀମାନଙ୍କ ବସ୍ତ୍ର ହରଣ କରିବେ ମହାପ୍ରଭୁ । ସେହିପରି ଗୋପୀଙ୍କ ଦଧିବିକା, ମହାପ୍ରଭୁଙ୍କ ଅଳି-ଅଝଟ ଭଳି ଅନେକ ମନୋରମ ଦୃଶ୍ୟ ଅଭିନୀତ ହେବ । ଏପଟେ ମଥୁରାନଗରୀରେ ଆସନ୍ନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବେ ମହାରାଜ କଂସ । ଜଣେ ପରେ ଜଣେ ରାକ୍ଷାସାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ମହାରାଜ ଏଣିକି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେବେ । ଆଜି ମନ୍ତ୍ରୀପରିଷଦଙ୍କୁ ଡାକି ଏନେଇ ଆଲୋଚନା କରିବେ ମଥୁରାନରେଶ । ଆଉ ଏହାରି ଭିତରେ ଧନୁଯାତ୍ରାର ପଂଚମ ଦିନରେ କାଳୀୟ ନାଗକୁ ଦଳନ କରିଛନ୍ତି ଭଗବାନ କୃଷ୍ଣ ।

କଳାକାହ୍ନୁଙ୍କ ବାଲ୍ୟଲୀଳାରେ ବିମୋହିତ ହୋଇପଡ଼ିଛନ୍ତି ଗୋପପୁରବାସୀ। କୃଷ୍ଣ-ବଳରାମ ଗୋପାଳ ବାଳକଙ୍କ ସହ ଗାଈଗୋଠକୁ ପ୍ରବେଶ କରି ଗୋଚାରଣ ଓ ଗୋ-ଉପାସନା କରିଛନ୍ତି। ଦଧି ଚୋରିକୁ ନେଇ ଆକଟ କରିବାକୁ ଯାଇ ମାତା ଯଶୋଦା କୃଷ୍ଣଙ୍କୁ ଗଛରେ ବାନ୍ଧି ଦେଇଛନ୍ତି। ଫଳରେ କୃଷ୍ଣ ଯାମଳାର୍ଜୁନ ଭଞ୍ଜନ ସହ ବିଶ୍ୱରୂପ ଦର୍ଶନ କରାଇଛନ୍ତି ମା’ ଯଶୋଦାଙ୍କୁ । ଏହାପରେ କୃଷ୍ଣ କାଳିନ୍ଦୀ ହ୍ରଦରେ କରିଛନ୍ତି କାଳୀୟ ଦଳନ। ମା’ ଯଶୋଦା ପୁଅର ଏଭଳି ଅଲୌକିକ କାର୍ଯ୍ୟରେ ଶଙ୍କାଗ୍ରସ୍ତ ହୋଇପଡ଼ିଛନ୍ତି। ଗୋପଦାଣ୍ଡରେ ଘରେ ଘରେ କୃଷ୍ଣ-ବଳରାମଙ୍କୁ ପୂଜା କରିଛନ୍ତି ଗୋପୀ-ଗୋପାଙ୍ଗନାମାନେ। ଶନିବାର ଗୋପପୁରରେ କୃଷ୍ଣ-ବଳରାମ ବାଲ୍ୟଲୀଳା କ୍ରମରେ ଗୋପାଳଙ୍କ ସହିତ ଦଧି ଚୋରି ଆଦି ଦୃଶ୍ୟ ଅଭିନୀତ ହୋଇଥିଲା।