ଗ୍ୟାସ୍ ସିଲିଣ୍ଡର ଆଣୁଥିଲେ ସାବଧାନ! ସିଲିଣ୍ଡର ତଳେ ଲୁଚି ଥାଇପାରେ ସାପ!

1,285

କନକ ବ୍ୟୁରୋ : ଗ୍ୟାସ୍  ସିଲିଣ୍ଡର ହୋମ ଡେଲିଭରିରେ ନେଉଥିଲେ ସାବଧାନ ହୋଇଯାଆନ୍ତୁ ।  ନିକଟରେ ଜଣେ ବ୍ୟକ୍ତି ଗ୍ୟାସ୍‌ ସିଲିଣ୍ଡରକୁ ଘରକୁ ଆଣୁଥିବା ସମୟରେ ସିଲଣ୍ଡର ତଳେ ପ୍ରାୟ ୩ ଫୁଟର ଏକ ସାପ ଲୁଚି ରହିଥିଲା। ସୌଭାଗ୍ୟବଶତଃ ଏହି ସାପଟି ବିଷଧର ହୋଇ ନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ ।

ଏଭଳି ଏକ ଘଟଣା ହରିୟାଣାର ଫତେହାବାଦ ଜିଲ୍ଲା ପ୍ରଭାକର କଲୋନିରେ ବସବାସ କରୁଥିବା ରାଜୀବ ନରୁଲାଙ୍କ ସହିତ ଘଟିଛି। ସେ ନିକଟରେ ଘରକୁ ଏକ ଗ୍ୟାସ ସିଲିଣ୍ଡର ମଗାଇଥିଲେ। ସିଲିଣ୍ଡର ନେଇ ଘରକୁ ଯିବା ସମୟରେ ସେ ତଳେ ଏକ ତିନି ଫୁଟର ସାପ ଫସି ରହିଥିବା ଦେଖିବାକୁ ପାଇଥିଲେ। ପୂରା ପରିବାର ସିଲିଣ୍ଡର ତଳେ ଏଭଳି ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ। ଏହାପରେ ତୁରନ୍ତ ଏହି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ପରେ ସ୍ନେକ ହେଲ୍ପଲାଇନର ସଦସ୍ୟ କଲୋନୀରେ ପହଞ୍ଚି ସାପକୁ ସିଲିଣ୍ଡର ତଳୁ ଉଦ୍ଧାର କରି ସୁରକ୍ଷିତ ଭାବେ ଏକ ଜଙ୍ଗଲରେ ଛାଡି ଦେଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ସିଲିଣ୍ଡର ତଳେ ଫସି ରହିଥିବା ସାପ ବିଷାକ୍ତ ନଥିଲା । ରଙ୍ଗ ପରିବର୍ତ୍ତନ କରୁଥିବା ପ୍ରଜାତିର ଏହି ସାପ ଥିଲା।

ବର୍ଷା ସମୟରେ ସାପ ବାହାରିବା ଏକ ସାଧାରଣ କଥା। ଘରର କୋଣମାନଙ୍କରେ ଓ ସିଲିଣ୍ଡର ତଳ ଭଳି ସ୍ଥାନମାନଙ୍କରେ ସାପ ଲୁଚି ରହିଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ତେଣୁ ଏଭଳି ସମୟରେ ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ସିଲିଣ୍ଡର କିମ୍ବା ଘରକୁ ଯଦି ଏପରି କୌଣସି ଜିନିଷ ଆଣୁଛନ୍ତି ତେବେ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ଡକ୍ଟର ଗୋପୀ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।