ଭୁବନେଶ୍ୱର ବିମାନ ବନ୍ଦରରେ ନାଗ ସାପ ଆତଙ୍କ । ସାପ ପାଇଁ ୭ ମିନିଟ ଅଟକିଲା ଭିସ୍ତାରା ଏୟାରଲାଇନ୍ସ ବିମାନ

40

କନକ ବ୍ୟୁରୋ : ସାପ ପାଇଁ ୭ ମିନିଟ୍ ଅଟକିଲା ବିମାନ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନାଗ ସାପ ଆତଙ୍କ । ପାର୍କିଂ କରିବାକୁ ଆସୁଥିବା ବିମାନ ସାପ ପାଇଁ ରନୱେରେ ଅଟକିଲା ।ଶନିବାର ରାତି ୮.୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ଦିଲ୍ଲୀରୁ ଆସୁଥିବା ଭିସ୍ତାରା ଏୟାରଲାଇନ୍ସର ବିମାନ ଅବତରଣ କରୁଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ବିମାନଟି ଅବତରଣ କରିବା ପରେ ନିର୍ଦ୍ଧାରିତ ପାର୍କିଂ ସ୍ଥଳକୁ ଆସୁଥିଲା । କିନ୍ତୁ ଠିକ୍ ଏହି ସମୟରେ ପାର୍କି ନିକଟରେ ଥିବା କର୍ମଚାରୀ ନାଗ ସାପ ବୁଲୁଥିବା ଦେଖିଥିଲେ ।

ଫଳରେ ପାର୍କିଂ ସ୍ଥଳ ଠାରୁ କିଛି ଦୂରରେ ବିମାନଟିକୁ ଅଟକାଯାଇଥିଲା । କିଛି କର୍ମଚାରୀ ନାଗସାପକୁ କାବୁ କରିବା ପରେ ବିମାନ ପାର୍କିଂ ସ୍ଥଳକୁ ଆସିଥିଲା । ଆଉ ଏହାପରେ ଯାତ୍ରୀ ମାନଙ୍କୁ ଓହ୍ଲାଇ ଦିଆଯାଇଥିଲା । ସାପ ପାଇଁ ବିମାନଟି ପ୍ରାୟ ୭ ମିନିଟ ଅଟକିଥିବା ଜଣା ପଡ଼ିଥିଲା । ବିମାନ ବନ୍ଦରରେ ସାପ ବାହାରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଏଠାରୁ ସାପ ଉଦ୍ଧାର କରାଯାଇଛି । ଏପରିକି ଅନେକ ସମୟରେ ବିଲୁଆ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବିମାନ ଅଟକିଥିବାର ଖବର ସାମ୍ନାକୁ ଆସିଛି ।