ସାପର ଅସ୍ତ୍ରୋପଚାର : କେନ୍ଦ୍ରାପଡା ଗରଦପୁରରେ ସ୍ନେକ ହେଲପଲାଇନ ସଦସ୍ୟ ଦେଖାଦେଇଲା ସେବାର ନିଦର୍ଶନ; ଉଦ୍ଧାର ପରେ ଗୁରୁତର ସାପର ଅସ୍ତ୍ରୋପଚାର କରି ବଂଚାଇଲେ ଜୀବନ

201

କନକ ବ୍ୟୁରୋ : ସାପ ହୋଇଥିଲା ଗୁରୁତର । ଜୀବନ ମରଣ ସହିତ ସଂଘର୍ଷ ବି କରୁଥିଲା । ଏପରି ସମୟରେ ନାଗସାପକୁ ଉଦ୍ଧାର ସହ ସାପର ଅସ୍ତ୍ରୋପଚାର କରି ତାହାର ଜୀବନ ବଂଚାଇଦେଲେ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ନାରାୟଣ କାଣ୍ଡି । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଗଜିପୁର ଗ୍ରାମରେ ଏପରି ଘଟଣା ଚର୍ଚାର ବିଷୟ ହୋଇଛି । ଗ୍ରାମରେ କବିନ୍ଦ୍ର ମଲ୍ଲିକଙ୍କ ଗୁହାଳରେ ଏକ ୪ ଫୁଟ ଲଂବର ନାଗ ସାପ ପଶି ଯାଇଥିଲା । କବିନ୍ଦ୍ର ଗୁହାଳକୁ ପ୍ରବେଶ କରିବା ସମୟରେ ଶୁଣିବାକୁ ପାଇଥିଲେ ନାଗସାପର ଗର୍ଜନ । ବହୁ ଚେଷ୍ଟା କରି ସାପକୁ ଗୁହାଳରୁ ବାଡି ସହାୟତାରେ ବାହାର କରିବାକୁ ଉଦ୍ୟମ କରିବା ସମୟରେ ଗୁରୁତର ଆହତ ହୋଇଥିଲା ସାପଟି । ସାପଟିର ପେଟରୁ ଅନ୍ତବୁଜଳା ବାହାରି ପଡିଥିଲା । ଏପରି ସମୟରେ ସ୍ନେକ୍ ହେଲପ ଲାଇନ୍ ସଦସ୍ୟଙ୍କ ନାରାୟଣ କାଣ୍ଡିଙ୍କ ସହିତ ଯୋଗାଯୋଗ କରିଥିଲେ କବିନ୍ଦ୍ର ।

ଖବର ପାଇ ନାରାୟଣ ପହଁଚି ନାଗସାପକୁ ଉଦ୍ଧାର କରିଥିଲେ । ସେତେବେଳକୁ ସାପଟିର ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା । ନାରାୟଣଙ୍କ ସାଙ୍ଗ ଅଶୋକ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରି ଆରମ୍ଭ ହୋଇଥିଲା ସାପର ଅପରେସନ । ଚିକିତ୍ସା ପରେ ସାପଟିକୁ ନାରାୟଣ ନିଜ ଘରେ ରଖିଛନ୍ତି । ସାପଟି ସୁସ୍ଥ ହେଲା ପରେ ତାକୁ ପ୍ରାକୃତିକ ପରିବେଶରେ ଛାଡି ଦିଆଯିବ ବୋଲି କହିଛନ୍ତି ନାରାୟଣ । ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ନାରାୟଣଙ୍କ ସାପ ପ୍ରତି ଏପରି ଭଲ ପାଇବା ଓ ସେବା ପୁରା ଅଂଚଳରେ ଚର୍ଚାରବିଷୟ ହୋଇଛି ।