କରୋନା ସମୟରେ ବାଙ୍କି ବଜାରରୁ ଆସିଲା ମଣିଷ ଓ ସାପର ବନ୍ଧୁତାର ଚିତ୍ର: ଆମିଷ ବଜାରକୁ ଆସୁଛନ୍ତି ୪ ଟି ସାପ; ଦୋକାନ ଖୋଲିବା ମାତ୍ରେ ଦେଉଛନ୍ତି ଦେଖା

ଘଟଣାକୁ ନେଇ ପୁରା ଅଂଚଳରେ ଚର୍ଚ୍ଚା

8,676

କନକ ବ୍ୟୁରୋ: ଗତ କିଛି ଦିନ ହେବ ବାଙ୍କି ଉପଖଣ୍ଡରେ ବିସ୍ମିତ କଲା ପରି ଏକ ଘଟଣା ସାମ୍ନାକୁ ଆସିଛି । ମାଛ ଦୋକାନ ଖୋଲିଲେ ଚାଲି ଆସୁଛନ୍ତି ସାପ । ଦେଖିବା ଲୋକ ବି ଚକିତ ହୋଇଯାଉଛି । ବାଙ୍କି ରଣପୁର ଗାଁର ଯୁଧିଷ୍ଠୀର ପ୍ରଧାନ ଟେଲର ଦୋକାନ କରିଥିଲେ । କରୋନା ଆସିବା ପରେ ବନ୍ଦ ହୋଇଗଲା ଦୋକାନ । ପରିବାର ଚଳାଇବାକୁ ବାଙ୍କି କଲେଜ ରୋଡରେ ଏକ ଭଡା ଦୋକାନରେ ଯୁଧିଷ୍ଠୀର ମାଛ ବିକ୍ରି କରିଥିଲେ । ମାଛ କାଟିବା ପରେ ମାଛର ପୁଟା ଓ ଗାଲିସିକୁ ସେ ଅନ୍ୟତ୍ର ଫିଙ୍ଗି ଦିଅନ୍ତି । ତାଙ୍କ ଅଜାଣତରେ ଏହାକୁ ବିଲେଇ କାଉ କୁକୁର ଖାଇବା ବଦଳରେ ଧଣ୍ଡ ସାପ ଖାଇଯାନ୍ତି ।

ଅଧ୍ୟାପକ ବିରବର ହରିଚନ୍ଦନ ଏହି ଘଟଣାକୁ ପ୍ରଥମେ ଦେଖିବା ପରେ ଯୁଧିଷ୍ଠୀରଙ୍କୁ ଜଣାଇଥିଲେ । ପ୍ରାୟ ଏକ ମାସ ଧରି ଅନୁଧ୍ୟାନ କରିବା ପରେ ଜଣାପଡିଲା ଗୋଟିଏ ନୁହଁ ଏହି ପରି ୪ଟି ସାପ ସେଠାକୁ ଆସୁଛନ୍ତି । ଏ ସମ୍ପର୍କରେ ସ୍ନେକ ହେଲପଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡାଙ୍କୁ ଯୁଧିଷ୍ଠୀର ଜଣାଇବାରୁ ସେ ଆସି ପୁରା ଘଟଣା ଦେଖିଥିଲେ । ଜାଣିବାକ ୁପାଇଥିଲେ ସେଠାରେ ୫ରୁ ଅଧିକ ଧଣ୍ଡ ସାପ ସହିତ ଗୋଟିଏ ଢମଣା ସାପ ବି ରହୁଛି । କେବଳ ମାଛ ବିକ୍ରି ହେଉଥିବା ଦିନ ଏଠାକୁ ଏହି ସାପ ମାନେ ଆସୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯେଉଁଦିନ ସେ ଆସନ୍ତିନି, ସାପମାନେ ମଧ୍ୟ ଆସିନଥାନ୍ତି । ଏହି ସାପ ଗୁଡିକ କାହାର କୌଣସି କ୍ଷତି ନକରିବା ଅଂଚଳରେ ଚର୍ଚାର ବିଷୟ ହୋଇଛି ।