ଜିପିଏସ ଟ୍ରାକିଂରୁ ଧରାପଡ଼ିଲା ଚୋରାଗାଡ଼ି ରାକେଟ୍ । କବାଡ଼ିଖାନାରେ ମିଳିଲା ଶତାଧିକ କଟା ଗାଡ଼ି ।

90

କନକ ବ୍ୟୁରୋ : ଯାଜପୁର ସହରରେ ଚାଲିଛି ଚୋରା ଗାଡି ସ୍କାର୍ପ କାରବାର । ଜିପିଏସ୍ ଟ୍ରାକିଂରୁ ଚୋରା ଗାଡ଼ି ରାକେଟର ହେଲା ପର୍ଦ୍ଦାଫାସ । ବେଆଇନ ଭାବେ ଚୋରା ଗାଡିକୁ ଆଣି ଏଠାରେ ଥିବା କବାଡିଖାନାରେ କଟା ଯାଇ ବିକ୍ରି କରାଯାଉଛି । ଯାହାକି ଏକ ଗାଡି ହିଁ ପୁରା ଚୋରିର ପର୍ଦ୍ଦାଫାସ କରିଛି । ସୂଚନା ଅନୁସାରେ ଗତକାଲି ରାତିରେ ଜଗତପୁର ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଟାଟା ପିକଅପ୍ ଗାଡି ଚୋରି ହୋଇଯାଇଥିଲା । ଗାଡି ମାଲିକ ଘର ସମ୍ମୁଖରେ ଗାଡି ନଥିବା ଦେଖି ଗାଡିରେ ଲାଗିଥିବା ଜିପିଏସକୁ ସଂଯୋଗ କରିଥିଲେ । ଫଳରେ ଗାଡିଟି ଯାଜପୁର ଅଭିମୁଖେ ଯାଉଥିବା ଜାଣିବାକୁ ପାଇଥିଲେ । କାଳ ବିଳମ୍ବ ନକରି ଗାଡି ମାଲିକ ଗାଡିକୁ ପିଛା କରିଥିଲେ । ପରେ ଯାଜପୁରର ସହର ଶୀତଳେଶ୍ୱର ନିକଟରେ ଥିବା ରାଧା କବାଡିଖାନାରେ ଗାଡିକୁ ପାଇଥିଲେ ।

ଏନେଇ ଯାଜପୁର ଟାଉନ ଥାନାକୁ ଜଣାଇବା ପରେ ପୁଲିସ ଚଢ଼ାଉ କରିଥିଲା । ପରେ ବିଭିନ୍ନ ଅଞ୍ଚଳର ଗାଡି ଚୋରି ଅଭିଯୋଗକୁ ନେଇ କଟକର ଜଗତପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବଡଚଣା ପୁଲିସ ଗାଡି ମାଲିକଙ୍କ ସହ ସେହି ସ୍ଥାନରେ ପହଞ୍ଚି ଗାଡିକୁ ଯାଞ୍ଚ କରିଥିଲେ । ଗାଡି ଗୁଡିକ ମଧ୍ୟରୁ ଜଗତପୁର ପୁଲିସ ୨ଟି ଚୋରି ଗାଡି ଚିହ୍ନଟ କରିଛନ୍ତି । ଅନ୍ୟ ଗାଡି ଗୁଡିକ ଖଣ୍ଡଖଣ୍ଡ କରାଯାଇଥିବାରୁ ମାଲିକଙ୍କ ପକ୍ଷେ ଚିହ୍ନିବା ସମ୍ଭବ ହେଉନାହିଁ । ତେବେ ଏହି ଘଟଣାରେ ପୁଲିସ ଜଣେ ଗାଡି ଚୋର ଓ କବାଡିଖାନା ମାଲିକକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।