କନକ ବ୍ୟୁରୋ: ଗାଡ଼ିରେ ପ୍ରେସ ଲେଖି ଗଞ୍ଜେଇ ଚୋରା ଚାଲାଣ । ଏମିତି ଏକ ଘଟଣା ଏବେ କୋରାପୁଟ ଜିଲ୍ଲାରୁ ଆସିଛି । ପୋଲିସ୍ ଆଖିରୁ ବଞ୍ଚିବା ପାଇଁ ଗାଡିରେ ପ୍ରେସ୍ ଲେଖି ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ଆଉ ଖବର ପାଇ ମାଡ଼ି ବସିଲା ପାଡୁଆ ପୁଲିସ ।

ପୋଲିସ୍ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ବଡ ଦେବତା ଛକ ନିକଟରେ ପୋଲିସ ଗାଡି ଗୁଡିକ ଯାଞ୍ଜ କରୁଥିବା ସମୟରେ ମହାରାଷ୍ଟ୍ର ନମ୍ବର ଥିବା ଗୋଟେ କାରରୁ ସାତ ବସ୍ତା ଗଞ୍ଜେଇ ବାହାରିଥିଲା । ପୋଲିସ ଗଞ୍ଜେଇ ବସ୍ତା ଜବତ କରିବା ସହିତ ଗାଡ଼ି ରେ ଥିବା ମହାରାଷ୍ଟ୍ରର ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । କାରରେ ଥିବା ସାତଟି ବସ୍ତାରୁ ୧୫୧ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ କୋରାପୁଟ ଜିଲ୍ଲାରୁ ବାହାର ରାଜ୍ୟ କୁ ଚୋରା ଚାଲାଣ ହେଉଥିଲା ।