ଅଷ୍ଟ୍ରେଲିଆ ବିପକ୍ଷରେ ସ୍ମୃତିଙ୍କ ଦମଦାର ଶତକ  । କୋହଲିଙ୍କ ରେକର୍ଡ କ୍ଲବରେ ସାମିଲ ହେଲେ ସ୍ମୃତି ମାନ୍ଧନା ।

209

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ସ୍ମୃତିଙ୍କ ଶତକ । ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳୀ ସ୍ମୃତି ମାନ୍ଧନା ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଛନ୍ତି । ସ୍ମୃତି ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ଏକ ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଏହି ଶତକ ସହ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ସ୍ମୃତି । ଏହାପୂର୍ବରୁ ବିରାଟ ମଧ୍ୟ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ ।

୧୭୦ ବଲର ସାମ୍ନା କରି ସ୍ମୃତି ଏହି ଶତକ ହାସଲ କରିଛନ୍ତି । ଯେଉଁଥିରେ ୧୮ଟି ଚୌକା ଓ ଗୋଟିଏ ଛକା ରହିଛି । ଏହି ଶତକ ସହ ସ୍ମୃତି ଟେଷ୍ଟ କ୍ରିକେଟରେ ୯ମ ଶତକ ହାସଲକାରୀ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି । ସେହିଭଳି ଭାରତ ପକ୍ଷରୁ ସନ୍ଧ୍ୟା ଅଗ୍ରୱାଲ ସର୍ବାଧିକ ୪ଟି ଶତକ ହାସଲ କରିଥିବା ବେଳେ ହେମଲତା କାଲା ୨ଟି ଶତକ ହାସଲ କରିଛନ୍ତି । ସେହିଭଳି ଅଧିନାୟିକା ମିତାଲି ରାଜ ଭାରତୀୟ ମହିଳା କ୍ରିକେଟରଙ୍କ ମଧ୍ୟରେ ବ୍ୟକ୍ତିଗତ ସର୍ବାଧିକ ୨୧୪ ରନ୍ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ୨୦୦୨ ମସିହାରେ ଏହି ଇନିଂସ ମିତାଲିଙ୍କ ବ୍ୟାଟରୁ ବାହାରିଥିଲା ।  ତେବେ ମିତାଲିଙ୍କ ଏହି ରେକର୍ଡ ଭାଙ୍ଗିବାରେ ସଫଳ ହୋଇନାହାନ୍ତି ସ୍ମୃତି । କାରଣ ୧୨୭ ରନ କରିବା ସହ ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି ସ୍ମୃତି ମାନ୍ଧନା ।

ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆଦୌ ଟେଷ୍ଟ ମ୍ୟାଚ୍ ଜିତିପାରିନି ଭାରତୀୟ ମହିଳା କ୍ରିକେଟ ଟିମ୍ । ଉଭୟ ଟିମ୍ ମଧ୍ୟରେ ମୋଟ ୯ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ୪ଟି ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିଥିବା ବେଳେ ୫ଟି ଟେଷ୍ଟ ମ୍ୟାଚ୍ ଡ୍ର ହୋଇଛି । ଶେଷଥର ପାଇଁ ୨୦୦୬ ମସିହାରେ ଉଭୟ ଟିମ୍ ପରସ୍ପର ବିରୋଧରେ ଟେଷ୍ଟ ଖେଳିଥିଲେ । ଆଉ ଏବେ ଦୀର୍ଘ ୧୫ ବର୍ଷ ପରେ ଏବେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ ।