କନକ ବ୍ୟୁରୋ : ଆଗାମୀ ଆଇପିଏଲ ପାଇଁ ବିସିସିଆଇ କାର୍ଯ୍ୟସୂଚୀ ଘୋଷଣା କରିଛି । ମାର୍ଚ୍ଚ ୩୧ରୁ ଆଇପିଏଲ ମହାସମର ଆରମ୍ଭ ହେବାକୁ ଥିବା ବେଳେ ଏହାପୂର୍ବରୁ ମହିଳା ଆଇପିଏଲ ଖେଳାଯିବ । ଏନେଇ ନିଲାମ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଦଳ ଅଧିନାୟିକାଙ୍କ ନାଁ ଘୋଷଣା କରିଛି ।

Advertisment

ଚଳିତ ମହିଳା ଆଇପିଏଲ ନିଲାମୀରେ ଆରସିବି ଭାରତୀୟ ବ୍ୟାଟର ସ୍ମୃତି ମାନ୍ଧନାଙ୍କୁ ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି । ଆଉ ସ୍ମୃତିଙ୍କୁ ଦଳ ଗୁରୁ ଦାୟିତ୍ୱ ମଧ୍ୟ ଦେଇଛି । ଅଥାର୍ତ ମହିଳା ଆଇପିଏଲର ପ୍ରଥମ ସିଜିନରେ ଆରସିବିର ମଙ୍ଗ ସମ୍ଭାଳିବେ ସ୍ମୃତି । ଏନେଇ ପୂର୍ବତନ ଆରସିବି ଅଧିନାୟକ ବିରାଟ କୋହଲି ଓ ଏବେ ଅଧିନାୟକ ଥିବା ଫାପ୍ ଡୁ ପ୍ଲେସିସ୍ ଘୋଷଣା କରିଛନ୍ତି । ଏନେଇ ଆରସିବି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛି । ଯେଉଁଥିରେ ସ୍ମୃତିଙ୍କୁ ଆରସିବି ମହିଳା ଟିମର ନୂଆ କ୍ୟାପଟେନ ଘୋଷଣା କରାଯିବା ସହ ଶୁଭକାମନା ଜଣାଇଛନ୍ତି ଉଭୟ କୋହଲି ଓ ଡୁ ପ୍ଲେସିସ । ଆରସିବି ପୁରୁଷ ଟିମ୍ ଭଳି ଆରସିବି ମହିଳା ଟିମକୁ ମଧ୍ୟ ପ୍ରଶଂସକ ମାନେ ଯଥେଷ୍ଟ ଭଲପାଇବା ଦେବେ ବୋଲି ଉଭୟ କହିଛନ୍ତି ।

ଭାରତୀୟ ବ୍ୟାଟର ସ୍ମୃତି ମାନ୍ଧନା ଏବେ ପର୍ଯ୍ୟନ୍ତ ଭାରତ ପାଇଁ ୧୧୨ଟି ଟି-୨୦ ମ୍ୟାଚ୍ ଖେଳିବା ସହ ୨୬୫୧ ରନ କରିବାରେ ସକ୍ଷମ ହୋଇଛନ୍ତି । ସେହିଭଳି ୭୭ଟି ଦିନିକିଆ ଖେଳିଥିବା ସ୍ମୃତି ୩୦୭୩ ରନ୍ କରିଛନ୍ତି । ଓପନିଂ କରୁଥିବା ସ୍ମୃତି ନିଜର ଧୂଆଁଧାର ବ୍ୟାଟିଂ ପାଇଁ ବେଶ ପରିଚିତ । ସ୍ମୃତିଙ୍କ ବ୍ୟତୀତ ଆରସିବି ନିଜର ମହିଳା ଟିମରେ ରିଚା ଘୋଷ, ଏଲିସ ପେରୀ, ରେଣୁକା ସିଂ, ସୋଫି ଡେଭିନଙ୍କ ଭଳି ଖେଳାଳୀଙ୍କୁ ସାମିଲ କରିଛି ।