କନକ ବ୍ୟୁରୋ : ଆମେରିକାର ଅରବପତି ଜର୍ଜ ସୋରୋସଙ୍କ ବୟାନକୁ ନେଇ ଭାରତରେ ଝଡ ସୃଷ୍ଟି ହୋଇଛି । ଏହା ଉପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଜବାବ ରଖିଛନ୍ତି । ସୋରୋସଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଦିଆଯାଇଥିବା ଟିପ୍ପଣୀକୁ ନେଇ ସ୍ମୃତି ଇରାନୀ କହିଛନ୍ତି କି ଭାରତୀୟ ଲୋକତନ୍ତ୍ର ଢାଞ୍ଚାକୁ କ୍ଷତି ପହଂଚାଇବାକୁ ବିଦେଶ ମାଟିରେ ଷଡଯନ୍ତ୍ର କରାଯାଉଛି । ଜର୍ଜ ସୋରୋସ ଭାରତୀୟ ଲୋକତନ୍ତ୍ର ଉପରେ ଦଖଲ ଦେବାକୁ ଚେଷ୍ଟା କରିଛନ୍ତି ଓ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟାର୍ଗେଟରେ ବୋଲି ସ୍ମୃତି ଇରାନୀ କହିଛନ୍ତି । ଏହାସହ ସେ ଦେଶର ନାଗରିକଙ୍କୁ ବିଦେଶୀ ଶକ୍ତି ବିରୋଧରେ ଜବାବ ଦେବାକୁ ଆହ୍ୱାନ କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ଜର୍ଜ ସୋରୋସଙ୍କ ବୟାନକୁ କଡା ନିନ୍ଦା କରିଛି ।

Advertisment

ସୂଚନା ଥାଉକି ଆମେରିକାର ଅରବପତି ଜର୍ଜ ସୋରୋସ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ କି ଆଦାନୀ ମାମଲାରେ ମୋଦୀ ଚୁପ୍ ରହିଛନ୍ତି , ହେଲେ ତାଙ୍କୁ ବିଦେଶୀ ନିବେଶକ ଓ ସଂସଦରେ ପଚରା ଯାଉଥିବା ପ୍ରଶ୍ନର ଉତର ଦେବାକୁ ପଡିବ । ସେ ଆହୁରି କହିଥିଲେ କି, ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଚୁପ ରହିବା ଫଳରେ ଭାରତର ସଂଘୀୟ ସରକାର ଉପରେ ମୋଦୀଙ୍କ ଦଖଲକୁ ଦୁର୍ବଳ କରିଦେବ । ଏହାସହ ଭାରତରେ ଲୋକତାନ୍ତ୍ରିକ ବ୍ୟବସ୍ଥାର ପରିବର୍ତନ ହେବାକୁ ଯାଉଥିବା କଥା ସେ କହିଛନ୍ତି ।

ଏହା ଉପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି କି ଜର୍ଜ ସୋରୋସ ସେହି ଲୋକ ଯେ କି ଇଂଲଣ୍ଡର ବ୍ୟାଙ୍କକୁ ଭାଙ୍ଗି ଦେଇଥିଲେ । ତାଙ୍କୁ ଜଣେ ଆର୍ଥିକ ଯୁଦ୍ଧ ଅପରାଧୀ ଭାବେ ନାମିତ କରାଯାଇଛି । ସେହିଭଳି ଜଣେ ଲୋକ ଭାରତର ଲୋକତନ୍ତ୍ରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା କଥା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେପଟେ ଜର୍ଜ ସୋରୋସଙ୍କ ବୟାନକୁ କଂଗ୍ରେସ ମଧ୍ୟ କଡା ନିନ୍ଦା କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ସହିତ ଜଡିତ ଆଦାନୀ ମାମଲା ଭାରତର ଲୋକତାନ୍ତ୍ରିକ ବ୍ୟବସ୍ଥା ଉପରେ କଣ ପ୍ରଭାବ ପାକଇବ ଏହା ବିରୋଧୀଦଳ ଓ ଆମର ନିର୍ବାଚନ ପ୍ରକ୍ରିୟା ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ଏହା ଉପରେ ଜର୍ଜ ସୋରୋସଙ୍କର କୌଣସି ଦେଣନେଣ ନାହିଁ ବୋଲି ଜୟରାମ ରମେଶ କହିଛନ୍ତି ।