କନକ ବ୍ୟୁରୋ : ମହିଳା କ୍ରିକେଟ ବିଶ୍ୱକପରେ ସ୍ମୃତି ମାନ୍ଧନା ଓ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଉଭୟ ମାନ୍ଧନା ଓ କୌରଙ୍କ ବିସ୍ଫୋରକ ଶତକ ବଳରେ ଭାରତ ନୂଆ ଇତିହାସ ରଚିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ନିର୍ଦ୍ଧାରିତ ୫୦ ଓଭରରେ ୩୧୭ ରନ୍ କରିବା ସହ ବିଶ୍ୱକପରେ ଭାରତ ନିଜର ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି । ତେବେ ମହିଳା ବିଶ୍ୱକପରେ ଏହା ୯ମ ସର୍ବାଧିକ ଦଳୀୟ ସ୍କୋର । ତେବେ ବିଶ୍ୱକପରେ ସର୍ବାଧିକ ଦଳୀୟ ସ୍କୋରର ରେକର୍ଡ ଅଷ୍ଟ୍ରେଲିଆ ନାଁରେ ରହିଛି । ଅଷ୍ଟ୍ରେଲିଆ ଗୋଟିଏ ଇନିଂସରେ ୪୧୨ ରନ୍ କରିବାକୁ ସକ୍ଷମ ହୋଇଥିଲା ।
India finish their 50 overs at 317/8, helped by two exquisite centuries by Smriti Mandhana and Harmanpreet Kaur 🙌
Can West Indies chase this mammoth total?#CWC22pic.twitter.com/A0ao1wvpbS
— ICC (@ICC) March 12, 2022
ମହିଳା ବିଶ୍ୱକପ୍ ପୂର୍ବରୁ ଉଭୟ ସ୍ମୃତି ଓ ମାନ୍ଧନାଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଉଥିଲେ କ୍ରିକେଟପ୍ରେମୀ । କିନ୍ତୁ ବିଶ୍ୱକପ ଆରମ୍ଭ ପରଠାରୁ ନିଜର ଦମଦାର ଇନିଂସ ବଳରେ ଆଲୋଚକଙ୍କ ମୁହଁ ଚୁପ୍ କରି ଦେଇଛନ୍ତି ଉଭୟ ଖେଳାଳୀ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପ୍ରଥମରୁ ହିଁ ସର୍ତକତାର ସହ ଇନିଂସ ଆରମ୍ଭ କରିଥିଲା । ଆଉ ଥରେ କ୍ରିଜରେ ଜମିବା ପରେ ସ୍ମୃତିଙ୍କ ବ୍ୟାଟରୁ ବାହାରିଥିଲା ବିସ୍ଫୋରକ ସଟ୍ । ଗୋଟିଏ ପଟେ ସ୍ମୃତି ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ଭାରତର ୱିକେଟ ମଧ୍ୟ ଖସି ଚାଲିଥିଲା । ଆଉ ଭାରତର ଏହି ସଙ୍କଟ ସମୟରେ ସଙ୍କଟମୋଚକ ସାଜିଥିଲେ ହରମନପ୍ରୀତ କୌର । ଉଭୟ ସ୍ମୃତି ଓ କୌର ପାଳି ସମ୍ଭାଳିବା ସହ ଶତକ ହାସଲ କରିଥିଲେ । ସ୍ମୃତି ୧୨୩ ରନ୍ କରିଥିବା ବେଳେ କୌର ୧୦୯ ରନ୍ କରି ୱେଷ୍ଟଇଣ୍ଡିଜ ସାମ୍ନାରେ ଏକ ବିଶାଳ ବିଜୟ ଲକ୍ଷ୍ୟ ରଖିଛନ୍ତି ।
ଚଳିତ ମହିଳା ବିଶ୍ୱକପରେ ଭାରତ ଏଯାବତ ୩ଟି ମ୍ୟାଚ୍ ଖେଳିଛି । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହୋଇଥିଲା । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ମ୍ୟାଚରେ ଉଭୟ ସ୍ମୃତି ଓ କୌର ଶତକ ହାସଲ କରିବା ସହ ଚଳିତ ବିଶ୍ୱକପର ସର୍ବାଧିକ ରନ୍ ସ୍କୋର କରିବା ତାଲିକାକୁ ଉଠିଛନ୍ତି । କୌର ୩ ମ୍ୟାଚରୁ ୧୮୫ ରନ କରିବା ସହ ପ୍ରଥମ ସ୍ଥାନରେ ଥିବା ବେଳେ ସ୍ମୃତି ୧୮୧ ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।