ରାଜଧାନୀର ସ୍ମୋକ୍ ପାନ: କାଫେରେ ରହିଛି ବିନା ଯର୍ଦ୍ଦାରେ ପ୍ରସ୍ତୁତ ହେଉଥିବା ଦେଢ ଶହ ପ୍ରକାରର ପାନ

106

କନକ ବ୍ୟୁରୋ: ରାଜଧାନୀରେ ମିଳୁଛି ବିନା ଯର୍ଦ୍ଦାରେ ପାନ । ଏହି ପାନ ଆରୋମା କାଫେ ଏବେ ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି । ଯେଉଁଠି ମିଳୁଛି ୧୫୦ ପ୍ରକାରର ପାନ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଏହି ପାନ ବିନା ଯର୍ଦ୍ଦାରେ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ଶରିରର କୌଣସି କ୍ଷତି ହୋଇନଥାଏ । ପିଲା ଠାରୁ ଆରମ୍ଭ କରି ସମସ୍ତ ବୟସ୍କ ଲୋକେ ଏହାର ମଜା ନେଇପାରିବେ । ବିଭିନ୍ନ ପ୍ରକାରର ସ୍ୱାଦଯୁକ୍ତ ପାନ ଏହି ଦୋକାନରେ ମିଳୁଥିବା ବେଳେ ଏହାର ଦାମ୍ ୨୦ ଟଙ୍କାରୁ ଆରମ୍ଭ ହୋଇ ୨୧ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଚକୋଲେଟ୍, ବଟରସ୍କଚ୍, ଷ୍ଟ୍ରବେରି, ଭାନିଲା, ବ୍ଲୁବେରି ଆଦି ଫ୍ଲେଭରର ପାନ ଏହି ଦୋକାନରେ ମିଳୁଥିବାବେଳେ ଏହି ଦୋକାନ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଏହି କାଫେର ଅନ୍ୟ ଏକ ଆକର୍ଷଣ ହେଲା ଏଠାରେ ମିଳୁଥିବା ଫାୟାର ପାନ ଏବଂ ସ୍ମୋକ୍ ପାନ । ପାନରେ ବିଭିନ୍ନ ମସଲା ଦେବା ପରେ ତରଳ ନାଇଟ୍ରୋଜେନରେ ବୁଡ଼ାଇ ପ୍ରସ୍ତୁତ କରାଯାଏ । ଯାହା ଦ୍ୱାରା ପ୍ରାକୃତିକ ଧୂଆଁ ସୃଷ୍ଟି ହୁଏ । ଏହାକୁ ନେଇ ଯୁବପିଢିଙ୍କ ମଧ୍ୟରେ ଅଧିକ କ୍ରେଜ୍ ରହିଛି । ଏହାସହ ଏଠାରେ ଯୁବପିଢିଙ୍କ ପାଇଁ ବିଭିନ୍ନ ଫ୍ଲେଭରର ମକଟେଲ୍, ଆଇସ୍କ୍ରିମ୍, ଚକୋଲେଟ୍ ଏବଂ ଥଣ୍ଡା ପାନୀୟ ମଧ୍ୟ ଉପଲବ୍ଧ ରହିଛି । ଭୁବନେଶ୍ୱରର ଜାଗମରା ଓ ଇନଫୋସିଟି ଛକରେ ଏଭଳି ପାନ ଆରୋମା କାଫେ ଖୋଲି ଭଲ ବ୍ୟବସାୟ ଆଶା ରଖିଛନ୍ତି ସମୀର ଦାଶ । ଆଗକୁ ରାଜଧାନୀର ବିଭିନ୍ନ ସ୍ଥାନରେ ଏଭଳି କାଫେ ଖୋଲିବାକୁ ସେ ଯୋଜନା ରଖିଥିବା କହିଛନ୍ତି ।

ବିନା ଯର୍ଦ୍ଦାରେ ବିଭିନ୍ନ ପ୍ରକାରର ପାନ ମିଳୁଥିବାରୁ ଲୋକେ ଏହାକୁ ଖାଇ ମଜା ଉଠାଉଛନ୍ତି । ବାହାଘର ହେଉ କିମ୍ବା ଅନ୍ୟ କୌଣସି ଉତ୍ସବ ଏହି ପାନ ପାଇଁ ଅର୍ଡ଼ର କରନ୍ତି ଲୋକେ । ଏପରିକି ଅନଲାଇନ୍ ଯୋଗେ ଅର୍ଡର ଦେଇ ଏହି କାଫେରୁ ଲୋକେ ସବୁ ପ୍ରକାରର ପାନ ମଧ୍ୟ ପାଇପାରୁଛନ୍ତି ।