ସ୍ମିତାଲିଙ୍କୁ ମିଳିବ ସାର୍ଟିଫିକେଟ୍ : ବିଭାଗୀୟ ନିର୍ଦ୍ଦେଶକଙ୍କୁ ଭେଟି ସତ୍ୟପାଠ ଦାଖଲ କଲେ ସହିଦନଗର ହାଇସ୍କୁଲ ଛାତ୍ରୀ

ଖବର ପ୍ରସାରଣ ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବା ନେଇ ପ୍ରକ୍ରିୟା ଆରମ୍ଭ

95

କନକ ବ୍ୟୁରୋ : ସ୍ମିତାଲିଙ୍କୁ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ଦୁଇ ଦିନ ମଧ୍ୟରେ ଦିଆଯିବ ବୋଲି ଗଣଶିକ୍ଷାମନ୍ତ୍ରୀ କହିବା ପରେ ଆଜି ସେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ଅନ୍ୟ କୌଣସି ସ୍ଥାନରେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ବ୍ୟବହାର କରିନାହାଁନ୍ତି ବୋଲି ନିର୍ଦ୍ଦେଶକଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏବଂ ନିର୍ଦ୍ଦେଶକ ତାଙ୍କୁ ସାର୍ଟିଫିକେଟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ସ୍ମିତାଲି କହିଛନ୍ତି ।

ସ୍ମିତାଲିଙ୍କ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ହଜିବା କାରଣରୁ ସେ ତିନି ବର୍ଷ ହେଲା ପାଠପଢ଼ାରୁ ବଂଚିତ ହୋଇଛନ୍ତି । ସୋମବାର ରମାଦେବୀ କଲେଜରେ ଆଡମିଶନ କରିବାକୁ ଯାଇ ବିଫଳ ହେବା ପରେ ଏହି ଖବର କନକ ନ୍ୟୁଜ ସାମନାକୁ ଆସିଥିଲା । ଯାହା ଜଣାପଡିଥିଲା ଝିଅଟିର ସାର୍ଟିଫିକେଟଟି ହଜିଯିବା ପରେ ତିନି ବର୍ଷ ହେଲା ଡୁପ୍ଲିକେଟ୍ ସାଟିଫିକେଟ ପାଇଁ ପଢ଼ୁଥିବା ସ୍କୁଲକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଦେଇ ନଥିଲେ ପ୍ରଧାନଶିକ୍ଷକ ।

ସ୍କୁଲ ଲିଭିଙ୍ଗ ଥରେ ହଜିଲେ ଏହାକୁ ପୁଣି ଥରେ ଦେବା ପାଇଁ କୌଣସି ନିୟମ ନଥିବା କହି ଏଡାଇ ଯାଇଥିଲେ ଉଚ୍ଚ କର୍ତୁପକ୍ଷ । ଶେଷରେ ସ୍ମିତାଲି କାନ୍ଦି କାନ୍ଦି କହିଥିଲେ କଣ ସାଟିଫିକେଟ ହଜିଗଲା ବୋଲି ସେ ଆଉ ପାଠପଢ଼ି ପାରିବେନି । ଏପରିକି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ସହ ତାଙ୍କ କଥା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଖବର ପ୍ରସାରଣ ପରେ ସାର୍ଟିଫିକେଟ ଦେବାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ ।