କନକ ବ୍ୟୁରୋ : ୨୦୧୯ ବିଶ୍ୱକପର ତାରିଖ ଯେତିକି ପାଖେଇ ପାଖେଇ ଯାଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍ସାହ ବଢି ବଢି ଚାଲିଛି । ଆଉ ଏହାରି ଭିତରେ ସମସ୍ତଙ୍କ ଉତ୍କଣ୍ଠା ବଢାଇଛି ଆଇପିଏଲ । ତେବେ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ସ୍କୋର କରି ଅରେଞ୍ଜ କ୍ୟାପ୍ ହାସଲ କରିଥିବା ସନରାଇଜର୍ସ ହାଇଦ୍ରାବାଦର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ନର ଏବଂ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ ସ୍ୱଦେଶ ଫେରିଯିବେ ବୋଲି ସୂଚନା ମିଳିଛି ।
୨୦୧୯ ବିଶ୍ୱକପ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ, ବିଶ୍ୱକପ ପାଇଁ ଦଳ ମଧ୍ୟ ଘୋଷଣା କରାଯାଇସାରିଲାଣି । ଅଷ୍ଟ୍ରେଲିଆ ବିଶ୍ୱକପ ଟିମରେ ରହିଥିବା ଡେଭିଡ ୱାର୍ନର ଏବଂ ଷ୍ଟିଭ୍ ସ୍ମିଥ ଚଳିତ ମାସ ଶେଷ ଆଡକୁ ନିଜ ନିଜ ଆଇପିଏଲ ଦଳକୁ ଛାଡି ସ୍ୱଦେଶ ଫେରିଯିବେ । ଆସନ୍ତା ମେ ମାସ ୨ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଟିମର ଅଭ୍ୟାସ ଶିବିରରେ ଏହି ଦୁଇ ଖେଳାଳୀ ଭାଗ ନେବେ । ସୂଚନା ଅନୁଯାୟୀ, ବଲ୍ ଟାମ୍ପରିଂ ମାମଲାରେ ଏହି ଦୁଇ ଖେଳାଳୀଙ୍କୁ ୧ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରାଯାଇଥିଲା । ତେବେ ଦୀର୍ଘ ୧ ବର୍ଷ ପରେ ଦୁଇ ଖେଳାଳୀ ଫେରିଥିବା ବେଳେ, ଭଲ ଫର୍ମରେ ମଧ୍ୟ ନଜର ଆସିଛନ୍ତି । ତେବେ ବିଶ୍ୱକପରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚ ଜୁନ ମାସ ୧ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/post_image_54c0758.jpg)