ସ୍ମିତାରାଣୀ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇଲା ପୋଲିସ । ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଥିଲା ସ୍ମିତାରାଣୀଙ୍କର ପ୍ରେମ ସମ୍ପର୍କ, ଝଗଡା କାରଣରୁ ଆତ୍ମହତ୍ୟା କରିଛନ୍ତି ସ୍ମିତାରାଣୀ ।

2,682

କନକ ବ୍ୟୁରୋ : ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା । ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ର ଗିରଫ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣସିଂ ମୀନା । ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ନେଇ କହିଛନ୍ତି ଏସପି । ପୋଷ୍ଟମର୍ଟମ ରିପୋର୍ଟରେ ସ୍ମିତାରାଣୀଙ୍କ ଗଳାରେ ରଶିର ଦାଗ ରହିଥିବା ବେଳେ ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ଉଲ୍ଲେଖ ରହିଛି । ସ୍ମିତାରାଣୀଙ୍କ ସହ ସରପଞ୍ଚଙ୍କ ସ୍ୱାମୀଙ୍କର ପୂର୍ବରୁ ସମ୍ପର୍କ ଥିବା ବେଳେ ଗତ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା ବୋଲି କହିଛନ୍ତି ଏସପି ।

ଗତ ଦୁଇ ଦିନ ପୂର୍ବେ ଧର୍ମଶାଳାର ପିଇଓ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସରେ ସ୍ମିତାରାଣୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସକୁ ସ୍ମିତାରାଣୀ କାହିଁକି ଯାଇଥିଲେ ତାହାକୁ ନେଇ ଉଠିଥିଲା ପ୍ରଶ୍ନ । ଆଉ ଏହି ଘଟଣାରେ ରୁପେଶଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ଆଉ ଆଜି ପ୍ରାଥମିକ ତଦନ୍ତ ପରେ ପ୍ରେମ ସମ୍ବନ୍ଧରୁ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ବେଳେ ସରପଞ୍ଚଙ୍କ ସ୍ୱାମୀ ରୁପେଶଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ ।