ମୁଁ ଗରିବ ବୋଲି କଣ ମୋ କଥା କେହି ଶୁଣିବେନି । ମୁଖ୍ୟମନ୍ତ୍ରୀ ମୋ ଗୁହାରୀ ଶୁଣନ୍ତୁ, ମୁଁ କଣ ଆପଣଙ୍କ ଝିଅ ନୁହେଁ କି? କାହିଁକି କାନ୍ଦୁଛି ସ୍ମିତାଲି? 

267

କନକ ବ୍ୟୁରୋ : ତଥାପି ସ୍ମିତାଲିଙ୍କୁ ମିଳିଲାନି ସାର୍ଟିଫିକେଟ । ହୋଇପାରୁନି ଆଡମିଶନ । ଗରିବ ଘରର ଝିଅ ପାଠ ପଢୁ ବୋଲି ନେତାଏ ସ୍ଲୋଗାନ ଦେଉଥିବା ବେଳେ ସ୍ମିତାଲିଙ୍କ ଆଖିର ଲୁହ, ମନର କୋହ କାହା ହୃଦୟକୁ ଛୁଇଁପାରିନି । ଶେଷରେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ମିତାଲି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ତାଙ୍କ କଥା ଶୁଣିବା ପାଇଁ ।

ସ୍କୁଲ ଲିଭିଂ ସାର୍ଟିଫିକେଟ ପାଇବା ପାଇଁ ମ୍ରୁଖ୍ୟମନ୍ତ୍ରୀଙ୍କୁ ସ୍ମିତାଲିଙ୍କ ନିବେଦନ । ଗରିବ ଘରର ଝିଅ ବୋଲି କେହି କଥା ଶୁଣୁନାହାନ୍ତି । ମୁଖ୍ୟମନ୍ତ୍ରୀ ଏ ଦିଗରେ ଧ୍ୟାନ ଦିଅନ୍ତୁ । ଶୀଘ୍ର ସାର୍ଟିଫିକେଟ ମିଳିଲେ ସେ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ଆଡମିଶନ ନେଇପାରିବେ । ଇଏ ଏକ ଏମିତି କାହାଣୀ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଗରିବ ଘରର ଝିଅ ପାଠ ପଢୁ ବୋଲି ଆମ ନେତା କେତେ ସ୍ଲୋଗାନ ବାଜି କରନ୍ତି । କିନ୍ତୁ ପ୍ରକୃତରେ ଯେତେବେଳେ ଝିଅଟିଏ ସମସ୍ୟାର ସାମନା କରେ ସେତେବେଳେ ସମସ୍ତେ ନିୟମ କାନୁନକୁ ଦ୍ୱାହି ଦିଅନ୍ତି । କିଛି ବାଟ ନପାଇ ଆଜି ସ୍ମିତାଲି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ଶୁଣନ୍ତୁ ବୋଲି ଗୁହାରି କରିଛନ୍ତି ।

ଏସବୁ ଭିତରେ ଗଣଶିକ୍ଷା ମନ୍ତ୍ରୀ କନକ ନ୍ୟୁଜରୁ ଏହି ଖବର ସମ୍ପର୍କରେ ଜାଣିବା ପରେ କହିଛନ୍ତି, ଏ ସମ୍ପର୍କରେ ଗଣଶିକ୍ଷା ସଚିବଙ୍କୁ ଅବଗତ କରାଇଛନ୍ତି । ସ୍ମିତାଲିଙ୍କୁ କେତେଶୀଘ୍ର ସାର୍ଟିଫିକେଟ ମିଳିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସାଂସଦ ଅନୁଭବ ମହାନ୍ତି, ଟୁଇଟ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି, ଏହି ବିଷୟରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ।

ସ୍ମିତାଲିଙ୍କର ଏସଏଲସି ବା ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଯାଇଥିବା କାରଣରୁ ସୋମବାର ତାଙ୍କର ରମାଦେବୀ କଲେଜରେ ଆଡମିଶନ ହୋଇପାରିନଥିଲା । ୨୦୧୭ରୁ ସେ ଏହି କାରଣ ପାଇଁ ଆଡମିଶନ ନେଇପାରୁନାହାନ୍ତି । ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସ ୩ବର୍ଷ ହେଲା ବୁଲୁଛନ୍ତି ଆଉ କାନ୍ଦି କାନ୍ଦି ପଚାରୁଛନ୍ତି, ସେ ଆଗକୁ ପାଠ ପଢିବେ କେମିତି ?