ବୟସ କମୁଛି, ମୋବାଇଲରେ ସମୟ ବିତୁଛି । ମୋବାଇଲ ଫୋନରେ କଟୁଛି ଅଧା ସମୟ ? ପିଲାଙ୍କ ଚିଡ଼ିଚିଡା ସ୍ୱଭାବ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି

243

କନକ ବ୍ୟୁରୋ : ସମ୍ପ୍ରତି ଡିଜିଟାଲ ଯୁଗରେ ମୋବାଇଲ୍ ଫୋନ୍‌ର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି । ନାମୀଦାମୀ ବିଦ୍ୟାଳୟରେ ଅତ୍ୟାଧୁନିକ ପଦ୍ଧତିର ପାଠପଢ଼ା କାରଣରୁ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ପଡ଼ୁଛି । ତେବେ କରୋନା କାଳରେ ସବୁ ବିଦ୍ୟାଳୟରେ ହେଉଥିବା ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ବାଧ୍ୟ କରିଛି। ତେଣୁ ଏବେ ସବୁ ପିଲାଙ୍କ ହାତରେ ମୋବାଇଲ୍‌ ‌ଫୋନ୍‌ ।

ମାତ୍ର ପାଠପଢ଼ା ପାଇଁ ମୋବାଇଲ୍‌ ଫୋନ୍‌ ବ୍ୟବହାର ଧୀରେଧୀରେ ପିଲାଙ୍କ ପାଇଁ ଘାତକ ସାଜିବା ପରିଲକ୍ଷିତ ହେଲାଣି । ପାଠପଢ଼ା ସମୟ ବାଦ୍ ପିଲାମାନେ ମୋବାଇଲ୍‌ ଫୋନ୍‌ରେ ଅଧିକ ସମୟ ବିତାଉଛନ୍ତି । ବହୁ ପିଲା ଭୋକଶୋଷ ଭୁଲି ଯାଉଛନ୍ତି । ଏମିତିକି ସେମାନଙ୍କୁ ରାତିରେ ନିଦ ହେଉନାହିଁ । କିଏ ଫ୍ରି ଫାୟାର ଗେମ୍ ଖେଳିଲାଣି ତ ଆଉ କିଏ ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍, ହ୍ବାଟ୍‌ସଆପ୍ ଓ ଡେଟିଂ ସାଇଟ୍‌ରେ ଚାଟିଂ କଲାଣି । ଚିନ୍ତାର ପ୍ରସଙ୍ଗ ହେଉଛି ଅଧିକ ସମୟ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ପିଲାମାନଙ୍କ ସ୍ବଭାବରେ ବଡ଼ଧରଣର ବିଲକ୍ଷଣ ଦେଖାଗଲାଣି । ବହୁ ପିଲା ଚିଡ଼ିଚିଡ଼ା ସ୍ବଭାବର ହୋଇଗଲେଣି । ଏମିତିକି ପିଲାଙ୍କ ଭିତରେ ଆତ୍ମହତ୍ୟାପ୍ରବଣତା ବୃଦ୍ଧି ପା‌ଉଛି। ତେଣୁ ଭବିଷ୍ୟତ ଯୁବପିଢ଼ି ପାଇଁ ଏହା ବଡ଼ ଉଦ୍‌ବେଗର କଥା ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଇଛି ।

ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ଅନ୍‌ଲାଇନ୍ କ୍ଲାସ୍ ଚାଲୁଛି । ତେଣୁ ପିଲାମାନଙ୍କ ଦ୍ବାରା ମୋବାଇଲ ଫୋନ୍ ବ୍ୟବହାର ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ଛୋଟ ପିଲାମାନେ ମୋବାଇଲ ଫୋନ୍‌ ସହ ଅଭ୍ୟସ୍ତ ହୋଇଯାଇଛନ୍ତି । ଅନ୍‌ଲାଇନ୍ ପାଠପଢ଼ା ବାହାନାରେ ସେମାନେ ଗେମ୍ ଖେଳିବା ଓ ସୋସିଆଲ୍ ମିଡିଆରେ ଚାଟିଂ କରିବାରେ ବ୍ୟସ୍ତ ରହୁଛନ୍ତି। ଅତ୍ୟଧିକ ମୋବାଇଲ ଫୋନ୍ ବ୍ୟବହାର ଯୋଗୁଁ ପିଲାମାନେ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ୁଥିବା ଦେଖାଯାଉଛି । ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନଙ୍କ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୫୯.୨ ପ୍ରତିଶତ ସ୍କୁଲ ଛାତ୍ରଛାତ୍ରୀ ସୋସିଆଲ୍ ମିଡିଆରେ ଚାଟିଂ ପାଇଁ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି । ମାତ୍ର ୧୦.୨ ପ୍ରତିଶତ ପିଲା ପାଠପଢ଼ା ପାଇଁ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି। ବଡ଼ କଥା ହେଉଛି ପାଠପଢ଼ାରେ ବାଧା ନ ଉପୁଜିବା ପାଇଁ ଅଭିଭାବକମା‌ନେ ପିଲାଙ୍କୁ ଅଲଗା ମୋବାଇଲ୍‌ ଫୋନ୍‌ ଦେଇଛନ୍ତି । ତେଣୁ ୩୦.୨ ପ୍ରତିଶତ ପିଲାଙ୍କ ପାଖରେ ନିଜସ୍ବ ମୋବାଇଲ ଫୋନ୍ ରହିଛି । ଫଳରେ ସେମାନେ ମନଇଚ୍ଛା ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି ।

ଗତ ନଭେମ୍ବର ମାସରେ ଅନ୍‌ଲାଇନରେ ଶିଶୁ ଯୌନଶୋଷଣକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା ଓ ଚଢ଼ଉ ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା । ଅତ୍ୟଧିକ ସୋସିଆଲ୍ ମିଡିଆ ବ୍ୟବହାର ଯୋଗୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଥିଲା। ଶିଶୁ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ ଅତ୍ୟଧିକ ମୋବାଇଲ ଫୋନ୍ ବ୍ୟବହାର ପିଲାର ମାନସିକ ବିକାଶରେ ବାଧା ସୃଷ୍ଟି କରିବ । ଏଥିପାଇଁ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଯାଉଛି । ପିଲାମାନେ ଶାରୀରିକ ପରିଶ୍ରମ ବା ପଡ଼ିଆରେ ଖେଳିବାକୁ ଇଚ୍ଛା କରୁନାହିଁ। ଆଖି ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି । ପିଲାମାନେ ନିଦ୍ରାହୀନତାର ଶିକାର ହେଉଛନ୍ତି। ଏହା ଆଗାମୀ ଦିନରେ ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ। ତେଣୁ ଏବେଠୁ ଅଭିଭାବକମାନେ ସତର୍କ ହେବା ଜରୁରୀ । ସେମାନେ ପିଲାମାନଙ୍କ ସହ ଅଧିକ ସମୟ ବିତାଇବା ସହ ଅଧିକ ସମୟ ମୋବାଇଲ୍‌ ଫୋନ୍‌ ବ୍ୟବହାରର କୁପ୍ରଭାବ ବିଷୟରେ ବୁଝାଇବା ଜରୁରୀ ।

ସାଇବର ବିଶେଷଜ୍ଞ ଆକାଶ ମିଶ୍ରଙ୍କ କହିବା କଥା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍ ଭଳି ସୋସିଆଲ୍‌ ସାଇଟ୍‌ରେ ପିଲାମାନେ କ’ଣ କରୁଛନ୍ତି, ଅଭିଭାବକମାନେ ତଦାରଖ କରିବା ଆବଶ୍ୟକ। ସ୍କୁଲ, କଲେଜରେ ପିଲାମାନଙ୍କ ପାଇଁ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର । ମନସ୍ତତ୍ତ୍ବବିତ୍‌ମାନଙ୍କ କହିବା କଥା ପିଲାମାନଙ୍କର ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ଦେଖାଗଲେ କିମ୍ବା ପିଲାମାନେ ମନସ୍ତାପରେ ରହୁଥିବା ଜଣାପଡ଼ିବା ମାତ୍ରେ ଅଭିଭାବକମାନେ ବିଭିନ୍ନ ଫୋରମ୍‌ ଜରିଆରେ ସେମାନଙ୍କ କାଉନ୍‌ସେଲିଂ କରାଇବା ଉଚିତ । ଏଭଳି ଅବସ୍ଥାରେ ସୁଧାର ନଆସିଲେ, ଆଜିର କିଶୋର ତଥା ଭବିଷ୍ୟତର ଯୁବପିଢ଼ି ଅନ୍ଧାର ଭିତରକୁ ଠେଲି ହୋଇଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ମୋବାଇଲ୍‌ ପାଇଁ ଜୀବନ ଗଲା : – 

୨୦୨୦ ଡିସେମ୍ବର ୪ । ଖୋର୍ଦ୍ଧା ବେଗୁନିଆ ଗଡ଼ମାଣିତ୍ରୀ ଅଞ୍ଚଳରେ ମୋବାଇଲ ଫୋନରେ ଗେମ୍ ଖେଳିବାକୁ ନେଇ ଘରେ ତାଗିଦ୍ କରିବାରୁ ୧୩ ବର୍ଷୀୟ ନାବାଳକର ଆତ୍ମହତ୍ୟା।

୨୦୨୦ ଡିସେମ୍ବର ୬ । କେନ୍ଦୁଝର ଯୋଡ଼ା ଅଞ୍ଚଳରେ ୧୩ ବର୍ଷୀୟ ନାବାଳକର ଆତ୍ମହତ୍ୟା। ଅନଲାଇନ୍ ଗେମ୍ ଖେଳି ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା ହରାଇବା ପରେ ଏହି ଘଟଣା ଘଟିଥିଲା।

୨୦୨୧ ଏପ୍ରିଲ ୯ । ପାରାଦୀପରେ ମୋବାଇଲ ଫୋନ୍ ଦେବାକୁ ପରିବାର ଲୋକ ମନା କରିବାରୁ ୧୭ ବର୍ଷୀୟ ନାବାଳକର ଆତ୍ମହତ୍ୟା।

୨୦୨୧ ଅକ୍ଟୋବର ୧୨ । ମୋବାଇଲ ଫୋନ୍ ବ୍ୟବହାର ପାଇଁ ପରିବାର ଲୋକ ମନା କରିବାରୁ ୧୩ ବର୍ଷୀୟ ନାବାଳକର ଆତ୍ମହତ୍ୟା।