ସ୍ମାର୍ଟ ସିଟିର ଅସଲ ଚିତ୍ର ! ଖାଲଖମାରେ ଭର୍ତି ରାଜଧାନୀର ରସୁଲଗଡ ବମିଖାଲ ରାସ୍ତା । ମରାମତି ଦାବିରେ ଧାରଣା ଦେଲେ ମହିଳା

34

କନକ ବ୍ୟୁରୋ : ସ୍ମାର୍ଟ ସିଟିର ସ୍ମାର୍ଟ ଚେହେରା । ଭୁବନେଶ୍ୱର ବମିଖାଲ ରସୁଲଗଡ ରାସ୍ତାର ଅସଲ ଚିତ୍ର । ଖାଲଖମାରେ ଭର୍ତ୍ତି ହୋଇଛି ରାଜଧାନୀ ଏହି ପ୍ରମୁଖ ରାସ୍ତା । ଗାଡିକୁ ନଠେଲିଲେ ରାସ୍ତାରେ ଆଗକୁ ଗଡୁନି ବାଇକ । ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ପ୍ରତିଦିନ ଘଟୁଛି ଛୋଟବଡ ଦୁର୍ଘଟଣା । ହେଲେ ପ୍ରଶାସନ ସବୁ ଜାଣି ମଧ୍ୟ ନଜାଣିବା ପରି ଚୁପ ବସିଛି । ତେବେ ଏହି ରାସ୍ତାର ଦୂରାବସ୍ଥାକୁ ନେଇ ଆଜି ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ସମୟ ଦିନ ୧୨ଟା ୩୦ । ଏହି ରାସ୍ତାରେ ଯାଉଥିବାବେଳେ ଜଣେ ଗାଡି ଚାଳକ ପାଣି ଜମିଥିବା ଖମାରେ ପଡିଯାଇଥିଲା ।

ଯାହାକୁ ନେଇ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟମାନେ ପ୍ରତିବାଦ କରିଥିଲେ । ଆଉ ସେହି ସ୍ଥାନରେ ଜଣେ ମହିଳା ଆରମ୍ଭ କରିଥିଲେ ଧାରଣା । ମହିଳାଙ୍କ ଧାରଣାକୁ ସମର୍ଥନ କରି ଆଉ କିଛି ସ୍ଥାନୀୟ ଲୋକ ତାଙ୍କ ସହ ସାମିଲ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ବୁଝାସୁଝା କରିବା ପରେ ଧାରଣାକାରୀମାନେ ଧାରଣାରୁ ହଟିଥିଲେ । କିନ୍ତୁ ସେମାନେ ଏଭଳି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ । ଏବଂ ଚେତାବନୀ ଦେଇ କହିଥିଲେ ଯଦି ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ପୁଣି ଧାରଣା ଦିଆଯିବ ।