ସ୍ତବ୍ଧ ହୋଇଗଲା ସ୍ମାର୍ଟସିଟି । ପୁଅର ମୃତଦେହ ଦେଖି ଅଚେତ୍ ହୋଇଗଲେ ମା’ ।

437

କନକ ବ୍ୟୁରୋ: ଖବର ଭିତରେ ସବୁଠାରୁ ହୃଦୟବିଦାରକ, ଛାତିକୁ ଚିରିଦେଲା ଭଳି ଭୁବନେଶ୍ୱରର ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ଖବର । ଗତକାଲିଠୁ ନାଳରେ ଭାସି ଯାଇ ନିଖୋଜ ଥିବା ୧୫ ବର୍ଷୀୟ ଛାତ୍ରଙ୍କ ମୃତ ଦେହକୁ ଦେଖି ପରିବାର ଲୋକ ଚିହ୍ନିଛନ୍ତି କିନ୍ତୁ ଜନ୍ମ କରିଥିବା ମା’ ଆଉ ନିଜକୁ ସମ୍ଭାଳି ପାରୁନି । ଯେଉଁ ହାତରେ ଦିନକ ପୂର୍ବରୁ ଖୁଆଉ ଦେଉଥିଲା ସେ ହାତରେ ତା’ ମୃତ ଦେହକୁ କେମିତି ଧରିବ? ଏମିତିକି ପୁଅର ମୃତଦେହକୁ ଦେଖି ବାରମ୍ବାର ହସ୍ପିଟାଲରେ ଅଚେତ୍ ହୋଇଯାଉଛନ୍ତି ଜ୍ୟୋତିଙ୍କ ମା’ ।

ଭୁବନେଶ୍ୱର ନାଳରେ ଭାସିଯାଇଥିବା ଯେଉଁ ଜ୍ୟୋତିପ୍ରକାଶ ପାଇଁ ଓଡ଼ିଶାବାସୀ ପ୍ରାର୍ଥନା କରୁଥିଲେ ସେ ଡାକ ଭଗବାନ ଶୁଣିଲେନି । ଶେଷରେ ୧୯ ଘଂଟା ଅପରେସନ ପରେ ମୃତ ଦେହ ଠାବ କଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପରେ ଏହାକୁ ଭୁବନେଶ୍ୱରର ଏମ୍ସ ହସ୍ପିଟାଲକୁ ନିଆଯାଇଛି ।

ଗତକାଲି ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡ଼ିବା ପରେ ଟ୍ୟୁସନ ପାଇଁ ବାହାରିଥିଲେ ଜ୍ୟୋତିପ୍ରକାଶ । ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ ଯିବାକୁ ବାରଣ କରିଥିଲେ । କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରି ଆସିବେ ବୋଲି କହିଥିଲେ ଜ୍ୟୋତି ପ୍ରକାଶ । ମାତ୍ର ବାଟରେ ମୁକୁଳା ଡ୍ରେନ୍ ମୃତ୍ୟୁ ଫାଶ ହୋଇ ବସିଥିଲା ବୋଲି ଜାଣିନଥିଲେ ଜ୍ୟୋତି । ଶେଷରେ ସେହି ମୁକୁଳା ଡ୍ରେନ୍ ତାଙ୍କ ମୃତ୍ୟୁର କାରଣ ପାଲଟିଲା ।