କନକ ବ୍ୟୁରୋ : ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଥିବା ୫.୮କିମି ରାସ୍ତାକୁ ସ୍ମାର୍ଟ ଜନପଥରେ ପରିଣତ କରାଯିବ । ଏଠାରେ ଲୋକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ମିଳିବ ସହ ଗମନାଗମନ ବ୍ୟବସ୍ଥାକୁ ଅତ୍ୟାଧୁନିକ କରାଯିବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରି ଶିଳାନ୍ୟାସ ବି ସରିଛି । ଅକ୍ଟୋବରରୁ କାର୍ଯ୍ୟ ଆରମ୍ଭ ହେବ । ହେଲେ ଏହା ପୂର୍ବରୁ ସ୍ମାର୍ଟ ଜନପଥ କିପରି ହେବା ଦରକାର, ଲୋକ କିପରି ରାସ୍ତା ଚାହୁଁଛନ୍ତି, ଯେଉଁ ସୁବିଧା ସୁଯୋଗ ଦେବାକୁ ଯୋଜନା ହୋଇଛି ତାହା କେତେଦୂର କାର୍ଯ୍ୟକ୍ଷମ ହେଉଛି ସେନେଇ ମତାମତ ଓ ପ୍ରସ୍ତାବ ସଂଗ୍ରହ କରିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଯୋଜନା ହୋଇଛି।
ଏଥିରେ ସ୍ମାର୍ଟ ଜନପଥର ପ୍ରମୁଖ ସ୍ଥାନ ଥିବା ରୁପାଲି ଛକରେ ଲାଇଭ୍ ଡେମୋ କରିବାକୁ ଯୋଜନା ହୋଇଛି । ଅଗଷ୍ଟ ୪ରୁ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହେବାକୁ ଥିବାବେଳେ ଏଥିରେ କିପରି ଜଣେ ସହଜରେ, ଜଲ୍ଦି ଓ ସୁବିଧାରେ ରାସ୍ତା ପାର୍ ହୋଇପାରିବ ସେନେଇ ଲାଇଭ୍ ଡେମୋ ଦେଖାଯିବ । ବିଡିଏ ପକ୍ଷରୁ ଓ୍ଵାର୍ଲଡ ରିସୋର୍ସ ଇନିସିଏଟିଭ୍ (ଡବ୍ଲ୍ୟୁଆର୍ଆଇ) ସହଯୋଗରେ ଅଗଷ୍ଟ ୪ରୁ ଦୁଇ ଦିନିଆ କର୍ମଶାଳା ଆୟୋଜନ ହେବ । ଏଥିରେ କମିସନରେଟ୍ ପୁଲିସ୍, ପରିବହନ, ପୂର୍ତ୍ତ, ଭୁବନେଶ୍ୱର ଅର୍ବାନ୍ ନଲେଜ୍ ସେଣ୍ଟର, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ, ସାମାଜିକ ସଂଗଠନ, ଶିଶୁ ଅଧିକାର ଉପରେ କାର୍ଯ୍ୟ କରୁଥିବା ସଂସ୍ଥା ତଥା ଅନ୍ୟ ବିଶେଷଜ୍ଞମାନେ ଯୋଗ ଦେବେ।
ସ୍ମାର୍ଟ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ଥିବା ରୁପାଲି ଛକରେ ଏଥିପାଇଁ ଏକ ନୂତନ ପ୍ରୟୋଗ କରାଯିବାକୁ ସ୍ଥିର ହୋଇଛି। ରୁପାଲି ଛକରେ ବିଭିନ୍ନ ବିଶେଷଜ୍ଞ, ଆର୍ଟିଷ୍ଟ୍ ଏବଂ ସ୍ମାର୍ଟ ସିଟି କର୍ମକର୍ତାଙ୍କୁ ନେଇ ଏକ ମଡେଲ୍ ଡିଜାଇନ୍ ପ୍ରସ୍ତୁତ କରାଯିବ। ଛକରେ ଯାତାୟତ ତଥା ଯାନବାହନ ପାର କରିବା ନେଇ ବିଭିନ୍ନ ସାଙ୍କେତିକ ଚିହ୍ନଗୁଡ଼ିକୁ ବିଭିନ୍ନ ରଙ୍ଗର ବ୍ୟବହାର କରି ଆକର୍ଷଣୀୟ ଢଙ୍ଗରେ ଚିତ୍ର ଅଙ୍କାଯିବ। ରୁପାଲି ଛକରେ ଚିତ୍ରିତ ହେବାକୁ ଥିବା ଏହି ସଙ୍କେତଗୁଡ଼ିକୁ ଏକ ମାସ ଧରି ଲୋକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ରଖାଯିବ। ଦୁଇଦିନିଆ କର୍ମଶାଳାରେ ମଧ୍ୟ ବିଭିନ୍ନ ମଡେଲ୍ ଷ୍ଟ୍ରିଟ ଓ ରୋଡ୍ ଡିଜାଇନ୍ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯିବ। ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ଏହି ଉତ୍କୃଷ୍ଟ ମଡେଲ୍ଗୁଡ଼ିକୁ ବାସ୍ତବ ରୂପ ଦେଇ ବିଭିନ୍ନ ଟ୍ରାଫିକ୍ ଛକଗୁଡ଼ିକର ରି-ଡିଜାଇନ୍ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଦୁଇଦିନ ଧରି ଚାଲିବାକୁ ଥିବା ସଡ଼କ ସୁରକ୍ଷା କର୍ମଶାଳାକୁ ବାସ୍ତବଧର୍ମୀ କରିବା ପାଇଁ ଏହାର ଅଧିକାଂଶ ସମୟ ସଭାଗୃହ ଅପେକ୍ଷା ବିଭିନ୍ନ ଛକ ନିକଟରେ ଅଧିକ ଆଲୋଚନା କରାଯିବାକୁ ସ୍ଥିର ହୋଇଛି। ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଡିଏ ପକ୍ଷରୁ ଚାଲିଥିବା ଭୁବନେଶ୍ୱର ଅର୍ବାନ୍ ଲେକ୍ଚର୍ ସିରିଜ୍ର ଚତୁର୍ଥ କ୍ରମରେ ଏହି କର୍ମଶାଳା ଆୟୋଜନ ହେଉଛି ।