ଭୁବନେଶ୍ୱରରୁ କୋର୍ଡ ଆସୁନି, ରାଉରକେଲାରେ କାମ ଦେଉନି ସ୍ମାର୍ଟ ହେଲଥ କାର୍ଡ

190

କନକ ବ୍ୟୁରୋ: ଏତେ ସରକାରୀ ବ୍ୟବସ୍ଥା ହେଲା ପରେ ବି ସୁବିଧା ପାଇ ପାରୁନାହାନ୍ତି ଗରିବ ଲୋକ । ସାମ୍ନାକୁ ଆସିଲା ବିଜୁ ସ୍ମାର୍ଟ ହେଲ୍ଥ କାର୍ଡର ସାଙ୍ଘାତିକ ସତ । ରୋଗୀ ମେଡିକାଲ ବେଡରେ ଯନ୍ତ୍ରଣା ଭୋଗୁଛନ୍ତି । ଏପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, ଭୁବନେଶ୍ୱରରୁ କୋର୍ଡ ନମ୍ବର ଆସିଲେ ଆରମ୍ଭ ହେବ ଚିକିତ୍ସା । ଏହାରି ଭିତରେ ୪ଦିନ ବିତିଲାଣି ରାଜଧାନୀରୁ କୋର୍ଡ ଆସୁନି କି ରାଉରକେଲାର ଘରୋଇ ଡାକ୍ତରଖାନାରେ ଚିକିତ୍ସା ମିଳୁନି ।

ସୁବିଧାରେ ଉତମ ଚିକିତ୍ସା ମିଳିବା ଆଶାରେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଧରି ରାଉରକେଲା ହାଇଟେକ ହସ୍ପିଟାଲକୁ ଆସିଛନ୍ତି ରୋଗୀ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳରୁ ଆସିଛନ୍ତି ଏମାନେ । ସମସ୍ତେ ପ୍ରାୟ ଦୁର୍ଘଟଣାର ଶିକାର ହେବା ପରେ ହାଡ ଭଙ୍ଗା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଅସ୍ତ୍ରୋପଚାର ଆବଶ୍ୟକ ହେଉଥିବା ବେଳେ ସ୍ମାର୍ଟ ହେଲ୍ଥ କାର୍ଡ କୋର୍ଡ ଆସିନଥିବାରୁ ଆରମ୍ଭ ହୋଇପାରୁନି ଚିକିତ୍ସା ।

ଘରୋଇ ଡାକ୍ତରଖାନାରେ ଭର୍ତି ହେଲେ ସ୍ମାର୍ଟ ହେଲଥ୍ କାର୍ଡରେ ଚିକିତ୍ସା ମିଳିବ । ଏମିତି ପରାମର୍ଶ ମିଳିବା ପରେ ଘରୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ରୋଗୀ । ହେଲେ ଏଠାରେ କୁହାଗଲା ଡାକ୍ତର ପରାମର୍ଶ ଓ ବିଭିନ୍ନ ପ୍ରକାର ଟେଷ୍ଟ ପାଇଁ ପଇସା ଦେବାକୁ ପଡିବ । ରୋଗୀ ସେତକ ବି କରିଛନ୍ତି । ନିଜ ଖର୍ଚରେ ପରୀକ୍ଷା-ନୀରିକ୍ଷା କରି ଡାକ୍ତରଖାନାରେ ଭର୍ତି ହୋଇଛନ୍ତି, ତଥାପି ଚିକିତ୍ସା ମିଳୁନି । ଚିକିତ୍ସା କରିବାକୁ କହିଲେ, ଡାକ୍ତରଖାନା କର୍ତୃପକ୍ଷ କହୁଛନ୍ତି ଭୁବନେଶ୍ୱରରୁ ସ୍ମାର୍ଟ ହେଲ୍ଥ କାର୍ଡ କୋର୍ଡ ଆସିବା ପରେ ଚିକିତ୍ସା ଆରମ୍ଭ ହେବ ।

ରାଉରକେଲା ହାଇଟେକ୍ ମେଡିକାଲରୁ ଆସିଥିବା ଏହି ଅଭିଯୋଗକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଯଦି ଭୁବନେଶ୍ୱରରୁ କୋର୍ଡ ଆସିବାରେ ବିଳମ୍ବ ହେବାରୁ ରୋଗୀଙ୍କର କିଛି ଅସୁବିଧା ହୁଏ ତେବେ ଏଥିପାଇଁ କିଏ ଦାୟୀ ହେବେ?