ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ସାମିଲ ହେଲା ନୂଆପଡା: ୧ ଲକ୍ଷ ୭୩ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା

83

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧.୭୩ ଲକ୍ଷ ଲୋକ ଏହି ସୁବିଧା ପାଇବେ । ନୂଆପଡା ସହିତ ରାଜ୍ୟର ୧୦ଟି ଜିଲ୍ଲା ଏହି କାର୍ୟ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆପଡାରେ ପ୍ରାୟ ୪୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଲ ପିଇବା ପାଣି ହେଉଛି ନୂଆପଡାର ଗୋଟିଏ ବଡ ସମସ୍ୟା । ତାକୁ ଦୂର କରିବା ପାଇଁ ଜିଲ୍ଲାର ସବୁ ବ୍ଲକ୍‌, ସବୁ ଗାଁ ଓ ସବୁ ପଡାକୁ ପାଇପ ପାଣି ଯୋଗାଇ ଦେବା ପାଇଁ କାମ ଜାରି ରହିଛି ବୋଲି ସେ କହିଥିଲେ । ନୂଆପଡା ଓ କୋମନା ପାଇଁ ଦୁଇଟି ମେଗା ପାଇପ ପାଣି ଯୋଜନା ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏହାଦ୍ବାରା ଜିଲ୍ଲାର ୮୦ ପ୍ରତିଶତ ଲୋକ ଭଲ ପିଇବା ପାଣି ପାଇପାରିବେ ବୋଲି ସେ କହିଥିଲେ ।

କାର୍ୟ୍ୟକ୍ରମରେ ଖରିଆର ବିଧାୟକଙ୍କ ଅନୁରୋଧରେ ଖରିଆରର ଇଭାନଜେଲିକାଲ ହସପିଟାଲକୁ ଈଝକଣ ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାଦ୍ବାରା ଜିଲ୍ଲାର ଲୋକମାନେ ଏହି ହସ୍‌ପିଟାଲରେ ସ୍ମାର୍ଟ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇପାରିବେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ୟ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ନୂଆପଡାର ଚାଷୀ ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ନୂଆପଡା ନୂଆ ପରିଚୟ ନେଇ ଆଗକୁ ବଢୁଛି । ନୂଆପଡାର ଚାଷୀମାନେ ଆଜି ବିଭିନ୍ନ ପ୍ରକାର ଫସଲ କରିବା ସହିତ ଫସଲର ବିବିଧକରଣ, ଜୈବସାର ଓ କୀଟନାଶକ ଉପରେ ଗୁରୁତ୍ବ ଦେଉଛନ୍ତି । ଚାଷୀ ମାନଙ୍କର ରୋଜଗାର ବଢିବା ସହିତ ଲାଭ ମଧ୍ୟ ହେଉଛି।

ନୂଆପଡା ବ୍ଲକ୍‌ର ସାଲିନା ଗାଁର ମୋହନ ଶବର ନାମକ ଜଣେ ବ୍ୟକ୍ତିଙ୍କର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କର ଦେଢ ଏକର ଜମି ଆଜି ସାଢେ ଚାରି ଏକରରେ ପହଞ୍ଚିଲାଣି । ପରିବା ଚାଷରେ ତାଙ୍କର ରୋଜଗାର ମଧ୍ୟ ଭଲ ହେଉଛି । ସେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା । ତେଣୁ ମୋର ଅନୁରୋଧ, ଆପଣମାନେ ସରକାରଙ୍କ ବିଭିନ୍ନ ୟୋଜନାର ସୁଯୋଗ ନିଅନ୍ତୁ ଓ ନିଜର ଉନ୍ନତି କରନ୍ତୁ ।

ଏହି କାର୍ୟ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ନୂଆପଡାର ବିକାଶ ଉପରେ ଆଲୋକପାତ କରିଥିଲେ। ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ଆଉ କେଉଁ ଠାରେ ନାହିଁ ବୋଲି ସେମାନେ କହିଥିଲେ ।