ସୀମା ଜଗିବ ସ୍ମାର୍ଟ ପାଚେରୀ ! ଆତଙ୍କବାଦୀ ସୀମା ମଧ୍ୟକୁ ପ୍ରବେଶ କରିବା କ୍ଷଣି ବିଏସଏଫକୁ କରାଇବ ଆଲର୍ଟ, ଜାଣନ୍ତୁ ଏହା କିଭଳି କରିବ କାମ

40

ଏଣିକି ଭାରତରେ ପଶିପାରିବେନି ଅନୁପ୍ରବେଶକାରୀ କିମ୍ବା ଆତଙ୍କବାଦୀ । ଲେଜର ସଂଶିଷ୍ଟ ସ୍ମାର୍ଟ ବାଡ ସୁରକ୍ଷାବଳୟ ମଧ୍ୟରେ ରହିବ ଭାରତ । ପାକିସ୍ତାନ ଓ ବାଂଲାଦେଶକୁ ଲାଗିଥିବା ଭାରତୀୟ ସୀମାରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି ସ୍ମାର୍ଟ ପାଚେରୀ । ଯାହାକୁ ଆଜି ଲୋକାର୍ପଣ କରିଛନ୍ତିଗୃହମନ୍ତ୍ରୀ ରାଜନାଥ ସିଂହ । ଏହି ସ୍ମାର୍ଟ ପାଚେରୀ ପାକିସ୍ତାନ ସୀମାକୁ ଲାଗିଥିବା ଦୁଇଟି କ୍ଷେତ୍ରରେ ୫ କିଲୋମିଟର ଯାଏଁ ନିର୍ମାଣ କରାଯାଇଛି । ଏହାକୁ ସୀମା ସୁରକ୍ଷା ବଳ ସଞ୍ଚାଳିତ କରିବ । ଏପରିକି ଗୃହମନ୍ତ୍ରୀଙ୍କ ସାମ୍ନାରେ ଏହାକୁ ସଞ୍ଚାଳିତ କରିବେ ବିଏସଏଫର ଅଫିସର ମାନେ । ଏହି ସ୍ମାର୍ଟ ପାଚେରୀ ଗତ ଏପ୍ରିଲ ମାସରୁ ପରୀକ୍ଷାମୂଳକ ଭାବେ କାର‌୍ୟ୍ୟକ୍ଷମ ହୋଇସାରିଛି ।

ଭାରତ-ପାକିସ୍ତାନ ସୀମାର ଦୁଇଟି କ୍ଷେତ୍ରରେ ଭାରତ ପକ୍ଷରୁ ଏଭଳି ହାଇଟେକ ସର୍ଭିଲାନ୍ସ ସିଷ୍ଟମ ନିର୍ମାଣ କରାଯାଇଛି । ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ସୀମାକୁ ଲାଗି ରହିଥିବା ଜଳ, ସ୍ଥଳ ଓ ଆକାଶ ପଥରେ ଏକ ଅଦୃଶ୍ୟ ଇଲୋକଟ୍ରନିକ ପାଚେରୀ ରହିବ ଯାହା ଦ୍ୱାରା କୌଣସି ଅନୁପ୍ରବେଶକାରୀ ସୀମା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ହିଁ ସୂଚନା ମିଳିଯିବ । ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ସ୍ମାର୍ଟ ପାଚେରୀ ଖରା, ବର୍ଷା, କୁହୁଡି ସବୁଥିରେ କାମ କରିବ । ଏପରିକି ଆଗାମୀ ଦିନରେ ଭାରତୀୟ ସୀମାର ପ୍ରାୟ ୨୪୦୦ କିଲୋମିଟର ଲମ୍ବର ଏହି ସ୍ମାର୍ଟ ପାଚେରୀ ନିର୍ମାଣ କରାଯିବାକୁ ସରକାର ଯୋଜନା କରୁଛନ୍ତି । ବାଂଲାଦେଶ ଓ ପାକିସ୍ତାନରୁ ବାରମ୍ବାର ଅନୁପ୍ରବେଶକାରୀ ପ୍ରବେଶ କରୁଥିବାରୁ ଏହି ପୂରା ସୀମାକୁ ସିଲ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।

ସୀମାନ୍ତରେ କାର‌୍ୟ୍ୟକ୍ଷମ ହୋଇଥିବା ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼ରେ ସ୍ୱୟଂଚାଳିତ ନୀରିକ୍ଷକ ଜ୍ଞାନକୌଶଳ ସହ ବଳପୂର୍ବକ ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କଲେ ବିପଦ କାଳୀନ ଘଣ୍ଟି ବାଜିବା ସହ ଏହା ନିକଟତର ହେଲେ ମଧ୍ୟ ସେସମ୍ପର୍କିତ ସୂଚନା ବିଏସଏଫ୍ ପୋଷ୍ଟକୁ ପଠାଇବା ପରି ଅନେକ ଅତ୍ୟାଧୁନିକ ଓ ସ୍ୱୟଂଚାଳିତ ବ୍ୟବସ୍ଥା ରହିଛି। ଏହାଛଡା ସୁଡଙ୍ଗ ଖୋଳି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ମଧ୍ୟ ଆଉ ସମ୍ଭବ ହେବ ନାହିଁ । ତେବେ, ଦେଶର ସୁରକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇଥିବା ଦୃଷ୍ଟିରୁ ଏଥିରେ ଆଉ କି କି ସୁରକ୍ଷା ବ୍ୟବସ୍ଥା ସେ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବିଏସଏଫ୍ ମନା କରିଦେଇଛି।