ଦିଲ୍ଲୀ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ୍ । ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ୍ ମାଷ୍ଟରଙ୍କ ପାଖକୁ ଆସିବ ମେସେଜ୍ ।

111

କନକ ବ୍ୟୁରୋ : ରେଳ ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦିଲ୍ଲୀ ସରକାର ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଯୋଜନା କରିଛନ୍ତି । ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ । ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର ପରୀକ୍ଷା ଚାଲିଛି । ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ପ୍ଲାଟଫର୍ମ ନମ୍ବର ୧ରେ ସ୍ୱୟଂଚାଳିତ ଡଷ୍ଟବିନ ଲଗାଯାଇଛି, ଯାହା ପୁରୁଣା ଚିଠି ବାକ୍ସ ପରି ଦେଖାଯାଉଛି । ଏହି ସ୍ୱୟଂଚାଳିତ ଡଷ୍ଟବିନରେ, ଢାଙ୍କୁଣୀ ସ୍ୱୟଂଚାଳିତ ଭାବରେ ଖୋଲିଥାଏ, ଏବଂ ତା’ପରେ ବନ୍ଦ ହୋଇଯାଏ ।

ଯେତେବେଳେ ଜଣେ ଆବର୍ଜନା ପକାଇବା ପାଇଁ ଡଷ୍ଟବିନ ଆଡକୁ ହାତ ବଢାଇଥାନ୍ତି, ଏହା ସ୍ୱତଃ ଖୋଲିଯାଇଥାଏ । ଏଥି ସହିତ, ଏହି ଡଷ୍ଟବିନ ଗୁଡିକର ବିଶେଷତା ହେଉଛି ଯେ ଏହା ଦୁର୍ଗନ୍ଧ ହୁଏ ନାହିଁ । ଓଦା ଏବଂ ଶୁଖିଲା ଆବର୍ଜନା ପକାଇବା ପାଇଁ ଏକ ପୃଥକ ବ୍ୟବସ୍ଥା ମଧ୍ୟ ଅଛି । ରେଳ ଅଧିକାରୀ କହିଛନ୍ତି ଯେ ଏହି ସ୍ୱୟଂଚାଳିତ ଡଷ୍ଟବିନ ଗୁଡିକ ୧୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଅଳିଆ ଆବର୍ଜନା ରଖିପାରେ ।

ଏଥିସହ ସାଧାରଣ ଡଷ୍ଟବିନ ଅପେକ୍ଷା ଅଧିକ ଅଳିଆ ଆବର୍ଜନା ରଖାଯାଇପାରିବ । ଅଧିକାରୀଙ୍କ କହିବାନୁସାରେ, ସାଧାରଣ ଡଷ୍ଟବିନକୁ ଦିନକୁ ଅତି କମରେ ୩ରୁ ୪ ଥର ଖାଲି କରିବାକୁ ପଡିଥାଏ, କିନ୍ତୁ ସ୍ୱୟଂଚାଳିତ ଡଷ୍ଟବିନ୍ ଅଧିକ ବର୍ଜ୍ୟବସ୍ତୁ ସଂଗ୍ରହ କରିପାରେ । ଯେତେବେଳେ ଡଷ୍ଟବିନ ୭୫ ପ୍ରତିଶତ ଯାଏଁ ଭର୍ତ୍ତି ହୋଇଯାଏ, ସେତେବେଳେ ଷ୍ଟେସନ ମାଷ୍ଟରଙ୍କ ଫୋନକୁ ଏକ ମେସେଜ ଯିବ । ଏହା ଦ୍ୱାରା ଆବର୍ଜନା ସଂଗ୍ରହ ସହଜରେ ଓ କମ ସମୟ ମଧ୍ୟରେ ହୋଇଯାଇଥାଏ ।