ଏ କେମିତିକା ସ୍ମାର୍ଟସିଟି । ମୁକୁଳା ଡ୍ରେନ ପାଲଟିଛି ମୃତ୍ୟୁର ଫାଶ ! ଶୋଇପଡିଛନ୍ତି କି ସରକାର ?

182

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମର ଅବହେଳା ଯୋଗୁଁ ଡ୍ରେନରେ ଭାସିଯାଇ ଜଣେ ଛାତ୍ରଙ୍କ ଜୀବନ ଚାଲିଗଲା । ପୂର୍ବରୁ ମଧ୍ୟ ଡ୍ରେନରେ ଭାସିଯାଇ ଲୋକେ ପ୍ରାଣ ହରାଇଛନ୍ତି । ଆଉ ପ୍ରତି ଥର ପ୍ରଶାସନ ପ୍ରତିଶ୍ରୁତି ଦିଏ, ଏହାର ପୁନରାବୃତି ହେବନାହିଁ । ହେଲେ ବର୍ଷା ଦିନ ଆସିଲେ ସେହି ସମାନ ଦଶାକୁ ସାମ୍ନା କରନ୍ତି, ଭୁବନେଶ୍ୱରବାସୀ ।

ମୁକୁଳା ଡ୍ରେନ ପାଲଟିଛି ମୃତ୍ୟୁର ଫାଶ ! ବିଏମସିର ଖାମଖିଆଲି ନେଉଛି ଲୋକଙ୍କ ଜୀବନ । ସ୍ମାର୍ଟ ସିଟି ଭୁବନେଶ୍ୱର । ଦଳକାଏ ବର୍ଷା ପରେ ରାଜଧାନୀର ଅବସ୍ଥା ଯେ ଦେଖିଛି, ସେ ଜାଣିଛି ଏ କେମିତିକା ସ୍ମାର୍ଟସିଟି । ସ୍ମାର୍ଟ ସିଟିର ଦାୟିତ୍ୱରେ ଥିବା ବିଏମସି ଅଧିକାରୀଙ୍କ କାମ ହିଁ କହୁଛି ସେମାନେ କେତେ କରିତକର୍ମା । କିଛି ଦିନ ତଳେ ବର୍ଷା ପାଣିରେ ରାଜଧାନୀର ଇସ୍କନ ମନ୍ଦିର ଆଗରେ କାର, ବସ ଭାସିଯିବାର ଦୃଶ୍ୟ ମିଡିଆ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ରାଜଧାନୀ ଆଉ ପାଦେ ଆଗେଇଛି । ଏଥର ବସ, କାର କି ସ୍କୁଟି ନୁହେଁ ଜଣେ ଦଶମ ଶ୍ରେଣୀ ଛାତ୍ର ଡ୍ରେନ ପାଣିରେ ଭାସିଯାଇ ପ୍ରାଣ ହରାଇଛି ।

ବର୍ଷା ଋତୁରେ ରାଜଧାନୀର ରାସ୍ତାରେ ବିଏମସି ଅଧିକାରୀ କାମ ଜଳ ଜଳ ହୋଇ ଦିଶୁଛି । ଦଳକାଏ ବର୍ଷା ହେଲେ ରାସ୍ତା ଉପର ପାଣି ଡ୍ରେନକୁ ଯିବ କଣ? ଡ୍ରେନ ପାଣି ରାସ୍ତା ଉପରେ ବୋହୁଛି । ଆଉ ମୁକୁଳା ଡ୍ରେନ ପାଦେ ପାଦେ ମୃତ୍ୟୁର ଭୟ ବଢାଇଛି ।

ଅସରାଏ ବର୍ଷାରେ କାହିଁକି ଉଡୁଟୁବୁ ହେଉଛି ରାଜଧାନୀ ? ସ୍ମାର୍ଟ ସିଟିରେ ମୁକୁଳା ଡ୍ରେନ ପାଇଁ ଦାୟୀ କିଏ ? ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ସହ ଶିକ୍ଷାର ହବ୍ ପାଲଟିଛି । ଏମ୍ସ ପ୍ରତିଷ୍ଠା ପରେ ସ୍ୱାସ୍ଥ୍ୟ ସେବାର ହବ ମଧ୍ୟ ପାଲଟିଛି । ଆଉ ବ୍ୟବସାୟର ପେଣ୍ଠସ୍ଥଳୀ ବି ପାଲଟିଛି ରାଜଧାନୀ । କେବେ ଡ୍ରେନ୍ ପାଇଁ, କେବେ ସ୍ୱରେଜ ପାଇଁ, ପୁଣି କେବେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ପାଇଁ ତ ପୁଣି କେତେବେଳେ ମୁକୁଳା ମ୍ୟାନହୋଲ ପାଇଁ ଏ ସହର ସାଧାରଣ ଲୋକଙ୍କ ଲାଗି ଅଭିଶାପ ପାଲଟି ଯାଇଛି । ଅସରାଏ ବର୍ଷାରେ ପୁରା ସହର ଭାସୁଛି । ବନ୍ୟା ପରି ବର୍ଷା ପାଣି ଘର ଭିତରେ ଲହଡି ଭାଙ୍ଗୁଛି ।

କେତେ ମୁଣ୍ଡ ଗଡିଲେ ପ୍ରଶାସନର ନିଦ ଭାଙ୍ଗିବ ? କେବେ ମୁକୁଳା ଡ୍ରେନ ଉପରେ ସ୍ଲାବ ପଡ଼ିବ ? ବିଏମସି ଅଞ୍ଚଳରେ ରହିଛି ପ୍ରାୟ ୫୬୦ କିଲୋମିଟର ଲମ୍ବର ଡ୍ରେନ୍ । ହେଲେ ଏଥିମଧ୍ୟରୁ ୨୩୦ କିଲୋମିଟର ଡ୍ରେନ୍ ମୁକୁଳା ପଡିଥିବା ଏକ ସୂତ୍ରରୁ ସୂଚନା ମିଳିଛି । କୌଣସି ପରିସ୍ଥିତିରେ ବି ଡ୍ରେନ୍ ମୁକୁଳା ରହିପାରିବ ନାହିଁ । ସମସ୍ତ ଡ୍ରେନ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛି ବିଏମସି ।

ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍
– ବିଏମସିର ଅବହେଳା ଯୋଗୁଁ ଗତ ୬ ବର୍ଷରେ ଗଲାଣି ୬ରୁ ଅଧିକ ଜୀବନ
– ୧୫ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଶତାବ୍ଦିନଗର ଅଞ୍ଚଳର ନାଳରେ ଭାସି ପ୍ରାଣ ହରାଇଛନ୍ତି
-୨୦୨୦ରେ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଜଣେ ୬୫ ବର୍ଷୀୟ ବୃଦ୍ଧା ମୁକୁଳା ଡ୍ରେନରେ ଭାସିଯାଇ ପ୍ରାଣ ହରାଇଥିଲେ
-୨୦୧୮ ଅଗଷ୍ଟରେ ରାସ୍ତା ପାର ହେଲାବେଳେ ଭୁବନେଶ୍ୱର ପିଚୁପଡିଆ ବସ୍ତିର ହରି ପଟ୍ଟନାୟକଙ୍କ ଡ୍ରେନରେ ଖସିପଡି ମୃତ୍ୟୁ ହୋଇଥିଲା
-୨୦୧୭ ମୌସୁମୀ ବର୍ଷା ସମୟରେ ପଟିଆ-ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ୨ଜଣ ଡ୍ରେନରେ ଭାସି ଯାଇଥିଲେ
-ନୟାପଲ୍ଲି ଥାନା ମୁମତାଜ ଅଲ୍ଲି ହାଇସ୍କୁଲ ନିକଟରେ ୨୦୧୫ରେ ଜଣେ ୯ ବର୍ଷର ବାଳକ ମୁକୁଳା ଡ୍ରେନରେ ଭାସି ପ୍ରାଣ ହରାଇଥିଲା

ପ୍ରଶ୍ନ ହେଉଛି, କେତେ ଜଣଙ୍କ ମୁଣ୍ଡ ଗଡିବା ପରେ ଚେତିବ ପ୍ରଶାସନ । ଡ୍ରେନ ଉପରେ ସ୍ଲାବ ନ ଘୋଡେଇ ମୁକୁଳା କାହିଁକି ରଖାଯାଉଛି । ୨୦୧୮ ମସିହାରେ ଡ୍ରେନେଜ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହଜାରେ କୋଟିର ସହାୟତା ରାଶିକୁ ବିଏମସି କେମିତି ଖର୍ଚ୍ଚ କରିଛି ଯେ ଡ୍ରେନ ଏବେ ବି ମୁକୁଳା ପଡିରହିଛି ।

ମୁକୁଳା ନାଳରେ ପଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା ପାଇଁ ବିଏମସିକୁ ଦାୟୀ କରି ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି । ବିଏମସି ଅଫିସ ସମ୍ମୁଖରେ ବିଜେପି କର୍ମୀ ଧାରଣାରେ ବସି ପ୍ରତିବାଦ କରିଛନ୍ତି । ପରିସ୍ଥିତି ଜଟିଳ ହେବାରୁ ଘଟଣାସ୍ଥଳରୁ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।

ରାଜଧାନୀ ଡ୍ରେନେଜ, ସ୍ୱରେଜ ମୁକୁଳା ପଡିଥିବାରୁ ବର୍ଷା ଦିନେ ଲୋକଙ୍କ ସମସ୍ୟା ବଢିଛି । ଏଥିପାଇଁ ବିଏମସିର ବେପରୁଆ ମନୋଭାବକୁ ଦାୟୀ କରାଯିବ ନାହିଁ କାହିଁକି? ଡ୍ରେନ ମୁକୁଳା ନରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଆଉ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ବାଏଁ ବାଏଁ ଉଡାଇ ଦେଇ ଆରାମରେ ଅଛନ୍ତି ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ ?