ଭୂତାଣୁ ମାଡୁଛି, ଭୋକ ବି ବଢୁଛି… ଦୋକାନ ଅଛି ହେଲେ ନାହାନ୍ତି ଗ୍ରାହକ । କରୋନା ପାଇଁ ରୋଜଗାର କମୁଥିବାରୁ ବଢୁଛି ଛୋଟ ବେପାରୀଙ୍କ ଚିନ୍ତା । କେମିତି ପୂରିବ ପେଟ, ଜୀବୀକା ନଥିଲେ କଣ ବଞ୍ଚିବ ଜୀବନ ? ମହାମାରୀ ମାଡରେ ଘାଇଲା ମଣିଷ…

1,224

କନକ ବ୍ୟୁରୋ: ମହାମାରୀ ମାଡରେ ମଣିଷ ଘାଇଲା । କରୋନା ପାଟିରେ ରୋଜଗାର ପଶିଲା । ରୋଜଗାର କମୁଛି, ଚିନ୍ତା ବଢୁଛି । ଗୋଟିଏ ପଟେ କରୋନା ବଢିଚାଲିଥିବା ବେଳେ ବଞ୍ଚିବାର ରାହା ମଧ୍ୟ ମଉଳି ଯାଉଛି । କେମିତି ପେଟ ପୂରିବ ? କେମିତି ପରିବାର ଚଳିବ? ଆଉ ଜଳିଟ ପରିସ୍ଥିତିରେ କେମିତି ଜୀବନ ବଞ୍ଚିଯିବ? ଏସବୁ ଚିନ୍ତାରେ ଘାରି ହେଉଛି ମଣିଷ । କିଏ ରୋଜଗାର ହରାଉଛି ତ କିଏ କାମଧନ୍ଦା ପାଉନି । କରୋନା ମାଡରେ ଦୋହଲିଯାଇଛି ମଣିଷର ଆର୍ଥିକ ଅଣ୍ଟା…

ପୂର୍ଣ୍ଣ ଦାସ ଦୁର୍ଗା, ନବରଙ୍ଗପୁର ଉମରକୋଟର ଜଣେ ଫୁଟ୍ ପାଥ୍ ବ୍ୟବସାୟୀ । ରାସ୍ତା କଡରେ ଏକ ଗଛ ମୂଳରେ ବଞ୍ଚିବାର ବାଟ ଖୋଜୁଛନ୍ତି । ରଙ୍ଗବେରଙ୍ଗର ଭଳିକି ଭଳି ପୋଷାକର ପସରା ମେଲାଇ ଗ୍ରାହକଙ୍କ ବାଟ ଚାହିଁ ରହିଥାନ୍ତି । ଅଳ୍ପ ଦାମରେ ଆକର୍ଷଣୀୟ ପୋଷାକ ନେବାକୁ ମଧ୍ୟ ବାଟରେ ଯାଉଥିବା ଲୋକ ଅଟକି ଯାଆନ୍ତି । ଆଉ ବାଛି ବାଛି ଦୁର୍ଗାଙ୍କ ପାଖରୁ ମନ ପସନ୍ଦର ପୋଷାକ ନିଅନ୍ତି । ହେଲେ ଏବେ କରୋନା ପାଇଁ କମିଛି ବେପାର । ଭୂତାଣୁ ଭୟ ପାଇଁ ଆଉ ଆଗଭଳି ଭିଡ ହେଉନି କି ବିକ୍ରି ହେଉନି । ଯେଉଁଥିପାଇଁ ଭାଙ୍ଗି ପଡିଛନ୍ତି ଦୁର୍ଗା…

ନିଜ ଦୁଃଖ କଥା କହୁକହୁ କାନ୍ଦି ପକାଉଛନ୍ତି ଦୁର୍ଗା । ପୂର୍ବରୁ ଯେଉଁ ବ୍ୟବସାୟ ହୁଏ ସେଥିରେ କଷ୍ଟେମଷ୍ଟେ ଚଳିଯାଆନ୍ତି ମାଆପୁଅ । ହେଲେ ଏବେ ମାଆ ଆରପାରିରେ । ବିବାହ କରିନଥିବାରୁ ଏକା ଏକା ସଙ୍ଘର୍ଷ କରି ବଞ୍ଚୁଛନ୍ତି । ଆଉ ଯାହା ବେପାର ହେଉଛି ସେଥିରୁ ସାହୁକାରକୁ ଦେଲାପରେ ବଞ୍ଚିବା ପାଇଁ ବି ପାଖରେ ପଇସା ରହୁନି । ତେଣୁ ବାଧ୍ୟ ହୋଇ କେବେ କେବେ ସେ ବିସ୍କୁଟ୍ କି ପାଣି ପିଇ ରହିଯାଆନ୍ତି ତ କେବେ ଉପାସ ଶୋଇପଡନ୍ତି ।

ସେପଟେ ଲକଡାଉନ ସମୟରେ ସିନା ବଡବଡ ବ୍ୟବସାୟୀମାନେ ବର୍ତ୍ତିଗଲେ ହେଲେ ହଇରାଣ ହୋଇଗଲେ ଛୋଟଛୋଟ ବେପାରୀ । ଖାଲି ଦୁର୍ଗା ନୁହଁନ୍ତି, ଅନେକ ଲୋକଙ୍କ ଅବସ୍ଥା ଏବେ ଏମିତି । କାହା ପାଖରେ ପଇସା ନାହିଁ ତ କାହା ଘରେ ଚାଉଳ ନାହିଁ । କରୋନା କଟକଣା ପାଇଁ ୪/୫ ମାସ ହେବ ଲୋକେ ଘରେ ଥିବାରୁ ରୋଜଗାର ହରାଇଛନ୍ତି । ପରିବାର ପୋଷିବାକୁ କିଛି ପନ୍ଥା ନଥିବାରୁ ବଢୁଛି ମାନସିକ ଚିନ୍ତା । ବେରୋଜଗାର ବଢୁଥିବାରୁ ବିଷାଦଗ୍ରସ୍ତ ହେଉଛନ୍ତି ଯୁବପିଢି । ତେବେ ସ୍ଥିତି ସୁଧୁରିଲା ବେଳକୁ ସୁସ୍ଥ ଥିବ ତ ମଣିଷର ମାନସିକ ସ୍ଥିତି ? କରୋନ ପାଇଁ ହୋଇଥିବା କ୍ଷତି ଭରିପାରିବ ତ ମଣିଷ ?