କନକ ବ୍ୟୁରୋ : ଜିନ୍ସରେ କାହିଁକି ଥାଏ ଛୋଟ ପକେଟ୍ ? ହୁଏତ ତ ଏମିତି ପ୍ରଶ୍ନ ଆପଣଙ୍କ ମନରେ କେବେ ଆସିନଥିବ । ଯଦି ଆପଣ ଜିନ୍ସ ପିନ୍ଧୁଥିବେ, ତାହାଲେ ନିହାତି ଭାବେ ଦେଖିଥିବେ, ଜିନ୍ସ ପ୍ୟାଂଟର ସାମ୍ନାରେ ଥିବା ପକେଟ ଭିତରେ ଏକ ଛୋଟ ପକେଟଟିଏ ରହିଥାଏ । ତେବେ ଆପଣ ଜାଣିଛନ୍ତି କାହିଁକି ସେଠାରେ ଛୋଟ ପକେଟଟି ରହିଥାଏ । ଆସନ୍ତୁ ଜାଣିବା ।
ଜିନ୍ସ ଏବେ ଯୁବପୀଢିଙ୍କ ମଧ୍ୟରେ ପ୍ରଥମ ପସନ୍ଦ ପାଲଟିଛି । ଝିଅ ହୁଅନ୍ତୁ କି ପୁଅ, ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ପ୍ରଥମେ ଆମେରିକା ଜିନ୍ସ ତିଆରି କରିଥିଲେ ବି ଆଜି ପୂରାବିଶ୍ୱରେ ପ୍ରାୟତଃ ସମସ୍ତେ ଜିନ୍ସ ପିନ୍ଧୁଛନ୍ତି । ସାରା ଦୁନିଆରେ କେବଳ ଉତର କୋରିଆ ହେଉଛି ଏଭଳି ଏକ ଦେଶ, ଯେଉଁଠି ଜିନ୍ସ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ନଚେତ ଆଉ ସବୁ ସ୍ଥାନରେ ଅଧିକାଂଶ ଲୋକେ ଜିନ୍ସ ପରିଧାନ କରିଥାନ୍ତି ।
ଜିନ୍ସକୁ ତିଆରି କରିବା ପଛର କାରଣ କଣ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଶ୍ରମିକଙ୍କ ପାଇଁ ତିଆରି କରାଯାଇଥିଲା ଜିନ୍ସ । ଜିନ୍ସ ତିଆରି କରିବା ପଛରେ କାରଣ ଏହା ଥିଲା କି, ଶ୍ରମିକ ମାନଙ୍କ ପୋଷାକ ଜଲଦି ମଇଳା ହୋଇଯାଏ । ଯେପରି ସେମାନଙ୍କୁ ବାରମ୍ବାର କପଡା ଧୋଇବାକୁ ନପଡେ, ସେଥିପାଇଁ, ଜିନ୍ସ ତିଆରି କରାଯାଇଥିଲା । ଏବେ କିନ୍ତୁ ଜିନ୍ସକୁ ସମସ୍ତେ ପିନ୍ଧୁଛନ୍ତି, ସିଏ ଶ୍ରମିକ ହୁଅନ୍ତୁ କିମ୍ବା ମାଲିକ । କାରଣ ଜିନ୍ସକୁ ନଧୋଇ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ପିନ୍ଧିହୁଏ ।
ଏବେ ଆସନ୍ତୁ ଜାଣିବା ଜିନ୍ସର ସାମ୍ନା ପକେଟରେ କାହିଁକି ରହିଥାଏ ଆଉ ଏକ ଛୋଟ ପକେଟ୍ ? ଆମେ ମାନେ ସାଧାରଣତଃ ଏହି ପକେଟରେ କଏନ କିମ୍ବା ଚାବି ରଖିଦେଇଥାଉ । କିନ୍ତୁ କଏନ ରଖିବା ପାଇଁ ଏହି ପକେଟକୁ ତିଆରି କରାଯାଇନଥିଲା । ବରଂ ଏହା ପଛରେ ଆଉ କିଛି କାରଣ ରହିଥିଲା ।
ଜିନ୍ସର ଆଗପଟରେ ଯେଉଁ ଛୋଟ ପକେଟଟି ରହିଥାଏ, ସେଥିରେ ଏକ ଛୋଟ ଘଂଟା ରଖିବା ପାଇଁ ଏହି ପକେଟଟିକୁ ତିଆରି କରାଯାଇଥିଲା । ପ୍ରକୃତ କଥା ହେଉଛି, ୧୮ଶହ ଶତାବ୍ଦୀରେ ସାରା ଦୁନିଆରେ କେବଳ ଛୋଟ ଚେନ୍ ଲାଗିଥିବା ଘଂଟା ହିଁ ବ୍ୟବହାର କରାଯାଉଥିଲା । ସମୟ ଜାଣିବା ପାଇଁ ସେତେବେଳେ ମୋବାଇଲ ନଥିଲା କିମ୍ବା ହାତଘଂଟା ମଧ୍ୟ ନଥିଲା । ଏହି ଚେନ୍ ଲାଗିଥିବା ଛୋଟ ଘଂଟା ସାହାଯ୍ୟରେ ସମୟ ଜାଣୁଥିଲେ ଲୋକେ । ଆଉ ସେହି ଘଂଟାକୁ ରଖିବା ପାଇଁ ହିଁ ଏହି ଛୋଟ ପକେଟର ନିର୍ମାଣ କରାଯାଇଥିଲା ବୋଲି କୁହାଯାଉଛି । ଏବେ କିନ୍ତୁ ସେହି ଘଂଟା ଆଉ ଦେଖିବାକୁ ମିଳୁନାହିଁ , ଆଉ ଅନେକ ଲୋକ, ସେହି ପକେଟକୁ କଏନ୍ ରଖିବାକୁ ବ୍ୟବହାର କରୁଛନ୍ତି । ଏହି ଛୋଟ ପକେଟକୁ ସବୁଠୁ ପ୍ରଥମେ ଲେବି ଷ୍ଟ୍ରସ ନାମକ କମ୍ପାନୀ ତିଆରି କରିଥିଲା । ଏହି କମ୍ପାନୀ ଏବେ ସାରା ବିଶ୍ୱରେ ଲିଭାଇସ୍ ନାମରେ ପରିଚିତ । ତେବେ ଏହି ଛୋଟ ପକେଟଟିକୁ ୱାଚ୍ ପକେଟ୍ ବୋଲି ମଧ୍ୟ କୁହାଯାଏ ।