ଚାଉଳ ପାଇଁ ୨୦ କିମି ଚାଲିଲେ ନଗଡାର କୁନି କୁନି ପିଲା: ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ମୁଣ୍ଡାଇ ଚଢିଲେ ପାହାଡ 

72

କନକ ବ୍ୟୁରୋ: କୁନି କୁନି ପିଲାଙ୍କ ମୁଣ୍ଡରେ ଚାଉଳର ବୋଝ, ପାଦ ତଳେ ପଥୁରିଆ ପାହାଡି ରାସ୍ତା । ପାଦରେ ଯୋତା ନାହିଁ, ମଧ୍ୟାହ୍ନ ଭୋଜନ ଚାଉଳ ପାଇଁ ୨୦ କିଲୋମିଟର ଖାଲି ପାଦରେ ଚାଲିଛନ୍ତି ନଗଡାର ପିଲା । ନଗଡାରୁ ୧୦ କିମି ଦୂରେ ଥିବା ଦେଓଗାଁ ଉଚ୍ଚପ୍ରାଥମିକ ସ୍କୁଲରେ ଦିଆଯାଉଥିବା ଶୁଖିଲା ଖାଦ୍ୟ ପାଇଁ ପାହାଡ ତଳକୁ ଓହ୍ଲାଇଥିଲେ ନଗଡା, ଗୁହିଆଶାଳ ମୌଜା ଓ ତୁମୁଣିର ୨୪ରୁ ଅଧିକ ଛାତ୍ରଛାତ୍ରୀ । ସ୍କୁଲରୁ ପୁଣି ଚାଉଳ ମୁଣ୍ଡେଇ ୧୦କିଲୋମିଟର ପାହାଡ ଚଢି ଘରକୁ ଫେରିଛନ୍ତି । ଚାଉଳ ଆଣିବା ପାଇଁ ଛାତ୍ରଛାତ୍ରୀମାନେ ସକାଳ ୭ଟାରୁ ଯାଇ ଦିନ ୪ଟାରେ ଭୋକ ଉପାସରେ ଘରକୁ ଫେରିଥିବା ସୂଚନା ମିଳିଛି । ଆଉ ଏହି ଦୃଶ୍ୟ କହୁଛି, ନଗଡାର ବିକାଶ କିଭଳି ହୋଇଛି ।

ଚାଉଳ ମୁଣ୍ଡରେ ବୋହି ଛାତ୍ରଛାତ୍ରୀ ପାହାଡ ଚଢିବା ଖବର ପ୍ରସାରଣ ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ଯାଜପୁର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଏଣିକି ପିଲାଙ୍କୁ ଘରେ ମଧ୍ୟାହ୍ନ ଭୋଜନ ଚାଉଳ ପହଂଚାଯିବ । ସ୍ଥାନୀୟ ବିଡିଓ ଓ ଯୋଗାଣ ବିଭାଗ ସହ ଆଲୋଚନା କରି ପଦକ୍ଷେପ  ନିଆଯିବ । ପିଲାମାନେ ଏତେ ଦୂର ଆସିବା ନିରାପଦ ନୁହେଁ, ତେଣୁ ଆଗାମୀ ଦିନରେ ଏହାର ସମାଧାନ କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବ କହିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ।

ନଗଡ଼ା ଓ ଗୁହିଆଶାଳ ସ୍କୁଲରେ ପଂଚମ ଶ୍ରେଣୀ ଯାଏଁ ଶିକ୍ଷାଦାନ ବ୍ୟବସ୍ଥା ରହିଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପଢିବାକୁ ହେଲେ ପିଲାଙ୍କୁ ନଗଡାରୁ ଦେଓଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଆସିବାକୁ ପଡିଥାଏ । ଚଳିତ ବର୍ଷ ଦେଓଗାଁ ସ୍କୁଲରେ ନଗଡାରୁ ୧୬, ତୁମୁଣିରୁ ୨୮ ଓ ଗୁହିଆଶାରୁ ୯ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ତୁରନ୍ତ ନଗଡାର ସ୍କୁଲକୁ ଅପଗ୍ରେଡସନ କରି ଉଚ୍ଚପ୍ରାଥମିକ ବିଦ୍ୟାଳୟ କରିବା ସହ ହାଇସ୍କୁଲ ଖୋଲିବାକୁ ଦାବି ହେଉଛି ।