କନକ ବ୍ୟୁରୋ: କୁନି ପୁଅ ଶୁବୋଜିତ । ଯାହା କହୁଛି, ଯଦି ତାହା ହୋଇଥାନ୍ତା । ତେବେ ସେ ଅନେକ ରୋଗୀଙ୍କ ଜୀବନ ବଂଚାଇଥାନ୍ତା । ଡାକ୍ତର ହୋଇ ତା’ ରୋଗୀଙ୍କ ସେବା କରିଥାନ୍ତା । ମରଣ ମୁହଁରେ ପଡ଼ିଥିବା ମଣିଷକୁ ଜୀବନ ଦେଇଥାନ୍ତା । ହେଲେ ତା’ ଜୀବନରେ ତାହା ତ ହୋଇପାରିଲା ନାହିଁ, ବିଧିର କିଛି ଅଲଗା ନିର୍ଦ୍ଦେଶ ଥିଲା । ଜୀବନ ଆରମ୍ଭ କରିବା ଆଗରୁ କଅଁଳା ଶିଶୁ ଟିଏ ଅବେଳରେ ଝଡ଼ି ପଡ଼ିଲା । ସେ ସିନା ଗଲା, ତା’ କଥା ରଖିଲା । ଡାକ୍ତର ବେଶରେ ଅଭିନୟ ମାଧ୍ୟମରେ ଯେଉଁ ଜୀବନ ବଂଚାଇବା କଥା କହୁଥିଲା, ନିଜ ଜୀବନରୁ ବିଦାୟ ନେଲା ବେଳେ ତାହା କରିଯାଇଛି । ବ୍ରେନ୍ ଡେଡ୍ ପରେ ଅଙ୍ଗଦାନ କରି ଅନେକଙ୍କୁ ଜୀବନ ଦେଇଛି ୮ ବର୍ଷ କୁନି ପୁଅ ଶୁବୋଜିତ । ଭୁବନେଶ୍ୱର କଳ୍ପନା ଅଂଚଳର ତୃତୀୟ ଶ୍ରେଣୀ ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ପରିବାର ଲୋକ ପୁଅର ଅଙ୍ଗଦାନ କରଥିଲେ । ଆଉ ସୁବୋଜିତଙ୍କ ପାଇଁ ୨ ଜଣଙ୍କୁ ମିଳିଛି ନୂଆ ଜୀବନ । ସୁବୋଜିତଙ୍କ ୨ଟି କିଡନୀ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଟିମ୍ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଛି ଶୁବୋଜିତଙ୍କୁ ଶେଷ ବିଦାୟ । ଶୋକାକୁଳ ପରିବେଶ ସହ ସୁବୋଜିତଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି ପରିବାର ଓ ପ୍ରିୟଜନ ।