ନିୟନ୍ତ୍ରଣରେ ବସ୍ତି ଅଞ୍ଚଳ : ଏବେ ରାଜଧାନୀର ଅଧିକାଂଶ ବସ୍ତି କରୋନାମୁକ୍ତ; ବସ୍ତିରୁ ବାହାରିଛନ୍ତି ୧୪୭୮, ସୁସ୍ଥ ୧୧୮୦

Advertisment
ନିୟନ୍ତ୍ରଣରେ ବସ୍ତି ଅଞ୍ଚଳ : ଏବେ ରାଜଧାନୀର ଅଧିକାଂଶ ବସ୍ତି କରୋନାମୁକ୍ତ; ବସ୍ତିରୁ ବାହାରିଛନ୍ତି ୧୪୭୮, ସୁସ୍ଥ ୧୧୮୦

କନକ ବ୍ୟୁରୋ : ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିଲେ ହେଁ ବସ୍ତି ଅଞ୍ଚଳରେ କମୁଛି। ଏବେ ସାରା ରାଜଧାନୀରେ ୪୮୮୬ଟି ଆକ୍ଟିଭ୍‌ କେସ୍ ଥିବାବେଳେ ଏଥିରୁ ବସ୍ତିରେ ମାତ୍ର ୨୯୮ଟି କେସ୍‌ ରହିଛି। ଅର୍ଥାତ୍‌ ମାତ୍ର ୬.୦୯% ଆକ୍ରାନ୍ତ ବସ୍ତିରେ ଅଛନ୍ତି। ଯାହା ବିଏମ୍‌ସିକୁ ଆଶ୍ବସ୍ତି ଦେଇଛି। ପ୍ରାୟ ୧୦୦ରୁ ଅଧିକ ବସ୍ତିରୁ ୧୪୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରୁ ଏବେ ସୁଦ୍ଧା ୧୧୮୦ ଜଣ ସୁସ୍ଥ ହୋଇସାରିଲେଣି। ଅଗଷ୍ଟ ଶେଷ ସପ୍ତାହ ଓ ସେପ୍ଟେମ୍ବରରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବସ୍ତି ଅଞ୍ଚଳରେ କମିବା ରାଜଧାନୀ ପାଇଁ ଭଲ ଖବର। କାରଣ ବିଭିନ୍ନ ଅଞ୍ଚଳରେ କାମ କରୁଥିବା, ବିଭିନ୍ନ ଲୋକଙ୍କ ଘରେ କାମ କରୁଥିବା ଲୋକ ବସ୍ତିବାସିନ୍ଦା। ତେଣୁ ବସ୍ତିରେ କରୋନା ବ୍ୟାପିଲେ ଏହାଦ୍ବାରା ବହୁ ଲୋକ ସଂକ୍ରମିତ ହେବାର ଭୟ ରହୁଥିଲା।

ଯାହା ଏବେ କିଛି ମାତ୍ରାରେ ଟଳିଛି। ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟାର ମାତ୍ର ୧୧.୫୩% ଆକ୍ରାନ୍ତ ରାଜଧାନୀର ୧୨୦ରୁ ଅଧିକ ବସ୍ତିରୁ ଚିହ୍ନଟ ହୋଇଥିଲେ। କିନ୍ତୁ ଏବେ ପ୍ରାୟ ୫୦ଟି ବସ୍ତିରେ ୨୯୮ ଜଣ ଆକ୍ରାନ୍ତ ଅଛନ୍ତି। ୫୦ରୁ ଅଧିକ ବସ୍ତି କରୋନା ମୁକ୍ତ ହୋଇଯାଇଥିବାରୁ ବିଭିନ୍ନ ବସ୍ତିରୁ ଗୋଷ୍ଠୀ ସଂକ୍ରମଣ ଭୟ କମିଛି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜୁଲାଇ ଓ ଅଗଷ୍ଟ ମାସର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବସ୍ତି ଅଞ୍ଚଳରୁ ପ୍ରତିଦିନ ପ୍ରାୟ ୨୦ରୁ ୩୦ଜଣ ଆକ୍ରାନ୍ତ ବାହାରୁଥିଲେ। ଏପରିକି ସାଲିଆସାହି, ତ୍ରିନାଥ ବସ୍ତି, ତାରିଣୀ ବସ୍ତି, ଓୟୁଏଟି ଫାର୍ମ ଗେଟ୍‌ ବସ୍ତି, ଶିଖରଚଣ୍ଡୀ ବସ୍ତିରୁ ଆରମ୍ଭ କରି ଆଖଣ୍ଡଳମଣି ବସ୍ତି, ସୁବାସନଗର, ମହିଷାଖାଲ, ପଥରବନ୍ଧ, ବାୟାବାବା ମଠ ନିକଟ ବସ୍ତି ଆଦି ଅଞ୍ଚଳରେ କରୋନା ସାଂଘାତିକ ରୂପ ଧାରଣ କରିଥିଲା। ଏଠାରେ ନିୟମିତ ବ୍ୟବଧାନରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ।

ଏହିଭଳି ପ୍ରାୟ ୧୦ଟି ବସ୍ତିରୁ ଅଧାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ବିଏମ୍‌ସି ପକ୍ଷରୁ ଉକ୍ତ ବସ୍ତିଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସମସ୍ତ ଆଗନ୍ତୁକଙ୍କୁ ୧୪ଦିନିଆ ସଙ୍ଗରୋଧ କେନ୍ଦ୍ରରେ ରଖିବା, ନିୟମିତ ବିଶୋଧନ କରିବା ଦ୍ବାରା ବସ୍ତିରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe