ବସ୍ତିରୁ ଭୁବନେଶ୍ୱର ଟପ୍ପର । ଶ୍ରମିକ କାମ କରି ବଡ ସଫଳତା । ଧନ ନୁହେଁ, ପାଠ ପାଇଁ ଦରକାର ପଡେ ମନ । ସଂଘର୍ଷ ଭିତରେ ସଫଳତା ପାଇଲେ ବର୍ଷା, ରାଣୀ ଆଉ ଶୁଭ୍ରଜିତ୍ ।

428

କନକ ବ୍ୟୁରୋ: ପରୀକ୍ଷା ତ ଅନେକ ଦିଅନ୍ତି । ସଫଳତା ତ ଅନେକ ପାଆନ୍ତି । ହେଲେ କାଗଜ, କଲମର ଏ ଜୀବନ ଭିତରେ ସଂଘର୍ଷର ଉତ୍ତର ଦେଇ ସଫଳତା ପାଇବାର ସ୍ୱପ୍ନ ବୋଧହୁଏ ଖୁବ୍ କ୍ୱଚିତ୍ ଲୋକ ଦେଖିଥାନ୍ତି । ଏ ହେଉଛି ସେମିତି କିଛି ଖବର…

କହନ୍ତି ଜୀବନର ପାଦେ ପାଦେ ପ୍ରତି କ୍ଷଣରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡେ । ପରୀକ୍ଷା ହିଁ ଆମର ପରୀକ୍ଷା ନିଏ । ହେଲେ ସେ ସବୁ ପରୀକ୍ଷାରେ ଆଜି ଏମାନେ ପାସ୍ କରିଛନ୍ତି । ସଂଘର୍ଷକୁ ମାତ୍ ଦେଇ ଏମାନେ ପାଇଛନ୍ତି ସଫଳତା ।

ବର୍ଷାରାଣୀ ସ୍ୱାଇଁ । ଘର ଭୁବନେଶ୍ୱର ବେହେରା ସାହି ବସ୍ତିରେ । ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ବର୍ଷା ୬୦୦ ମାର୍କରୁ ୫୬୪ ମାର୍କ ରଖି ହେଇଛନ୍ତି ଭୁବନେଶ୍ୱର ଟପ୍ପର । ତେବେ ଗରିବ ପରିବାରରେ ଜନ୍ମ ହେଇଥିଲେ ବି ପିଲାଟି ବେଳରୁ ପାଠପଢା ପ୍ରତି ଆଗ୍ରହ ଦେଖାଇଥିଲେ ବର୍ଷା । ବାପା ମାର୍କେଟରେ ପଙ୍ଖା କାମ କରି ଯାହା ଯେତିକି ରୋଜଗାର କରୁଥିଲେ । ସେଇଥିରେ ତାଙ୍କ ପଢା ଖର୍ଚ୍ଚ ଉଠୁଥିଲା । ଆଉ ଏବେ ସେହି ସଂଘର୍ଷ ଭିତରୁ ଏତେ ବଡ ସଫଳତା ପାଇବା ପରେ ଆଗକୁ ସେ ଡାକ୍ତର ହେବାକୁ ଇଚ୍ଛା ରଖିଛନ୍ତି ।

ଜଣେ ବସ୍ତି ଝିଅର ସଫଳତାର ଜାଣିବା ପରେ ଏବେ ନଜର ପକାନ୍ତୁ, ଜଣେ ଦିନ ମଜୁରିଆ ଛାତ୍ରୀର ସଫଳତାର କାହାଣୀ ଉପରେ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଙ୍ଗମ ଗାଁର ଝିଅ ରାଣୀ ହେମ୍ବ୍ରମ । ପରିବାରର ରୋଜଗାର କହିଲେ, ଶୂନ ଆଉ ତା ଭିତରେ ପରୀକ୍ଷା କଥା ପଚାରୁଛି କିଏ? ଅନ୍ୟ କିଏ ହେଇଥିଲେ ବୋଧହୁଏ ପଢାରେ ଡୋରି ବାନ୍ଧି ପରୀକ୍ଷାକୁ ଭୁଲିଯାଇଥାନ୍ତେ । ହେଲେ ରାଣୀ କିନ୍ତୁ ଭିନ୍ନ ଥିଲେ । ପାଠପଢା ପାଇଁ ସେ ସାଜିଥିଲେ ଦିନ ମଜୁରିଆ । ପର ଘରେ ଶ୍ରମିକ ହେଇ କାମ କରି ସେ ପାଠ ପଢିଥିଲେ ଆଉ ପରୀକ୍ଷା ବି ଦେଇଥିଲେ । ଏଥର ବାହାରିଥିବା ରେଜଲ୍ଟରେ ସେ ଏବେ ରଖିଛନ୍ତି ୮୧ ପ୍ରତିଶତ ମାର୍କ । ଆଉ ଆଗକୁ ସେ ବି ଡାକ୍ତର ହେବାକୁ ଇଚ୍ଛା ରଖିଛି ।

ବର୍ଷା ଆଉ ରାଣୀ ଭଳି ଶୁଭ୍ରଜିତ ବି କିଛି କମ୍ ସଂଘର୍ଷ ଦେଖିନାହାଁନ୍ତି । ଝାଟି ମାଟିର ଘର ଆଉ ଦିନରେ ସୂର୍ଯ୍ୟ ଦିଶୁଥିବା ଏହି ଘରୁ ସେ ହେଇଛନ୍ତି ବିଜ୍ଞାନ ପରୀକ୍ଷାରେ ବ୍ଲକ୍ ଟପ୍ପର । ବାଲେଶ୍ୱର ଭୋଗରାଇ ବ୍ଲକ ଦୁବସାହିରେ ରହୁଥିବା ଶୁଭ୍ରଜିତଙ୍କ ପରିଚୟ ସେ ହେଉଛନ୍ତି ଜଣେ ଚଷା ବାପାର ଟପ୍ପର ପୁଅ । ଏଥର ପରୀକ୍ଷାରେ ସେ ମୋଟ ୬ ଶହରୁ ୫୬୫ ନମ୍ବର ରଖି ହେଇଛନ୍ତି ବ୍ଲକ୍ ଟପ୍ପର । ଯାହା ଆଜି ଏ ବାପା ମାଆଙ୍କ ଦୁଇ ଜଣଙ୍କ ମୁଣ୍ଡକୁ ଗର୍ବରେ ଉଚ୍ଚା କରିଦେଇଛି ।

ଦର୍ଶକ ବନ୍ଧୁ ସଫଳତା ତ ଅନେକ ପାଇଥାନ୍ତି । ହେଲେ ଏମିତି କିଛି ଲୋକଙ୍କ ସଫଳତା ସବୁଦିନ ପାଇଁ ମନେ ରହିଯାଏ । ବର୍ଷା ରାଣୀ ଆଉ ଶୁଭ୍ରଜିତଙ୍କ ଏ ସଫଳତାର କାହାଣୀ ନିଶ୍ଚୟ ଅନ୍ୟମାନଙ୍କୁ ସଂଘର୍ଷ ଭିତରେ ବି ସ୍ୱପ୍ନ ଦେଖିବାକୁ ବାଧ୍ୟ କରିବ ।