ହାଥରସରେ ମୃତ୍ୟୁର ତାଣ୍ଡବ: ଦଳାଚକଟା ସ୍ଥଳରେ ମୃତ୍ୟୁର ମୁକସାକ୍ଷୀ ପାଲଟିଛନ୍ତି ହଳେ ଦି’ଦଳ ଜୋତା, ଟିଫିନ୍, ବ୍ୟାଗ୍ ଓ କ୍ଷୀର ବୋତଲ…

280

କନକ ବ୍ୟୁରୋ:  ହାଥରସର ହୃଦୟଥର ଘଟଣାରେ ଦୋହଲି ଯାଇଛି ସାରା ଭାରତ । ଦଳାଚକଟା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ଭିତରେ ଆୟୋଜକମାନଙ୍କ ଅହେଳାକୁ ଦାୟୀ କରାଯାଉଛି । ଅଘଟଣର କାରଣ ଖୋଜା ଏୱଂ ତଦନ୍ତ ଜୋରଦାର ଚାଲିଥିବା ବେଳେ ଆଜି ସକାଳେ ସାମ୍ନାକୁ ଆସିଛି କିଛି ଏମତି ଦୃଶ୍ୟ ଯାହା ଜଣଙ୍କ ହୃଦୟକୁ ତରଳାଇ ଦେବ ନିଶ୍ଚୟ । ଅଘଟଣସ୍ଥଳର ଗୋଟି ଗୋଟି ଛବି ଛାତିକୁ ଦୋହଲାଇ ଦେଉଛି । ତେବେ ୟୁପି ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ୟୁପିର ସକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଛି। ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି।  ଆଉ ସେହି ସତସଙ୍ଗ ସ୍ଥଳରୁ ଆସିଥିବା ପ୍ରତିଟି ଦୃଶ୍ୟ ହଜାରେ କାହାଣୀ କହୁଛି…

ତେବେ ସତସଙ୍ଗ ସ୍ଥଳରେ ମୃତ୍ୟୁ ତାଣ୍ଡବ ରଚିବାର କେଇ ଘଣ୍ଟା ପରେ ସବୁଠି ପଡିଛି ଜୀବନର ମଲା ପଦଚିହ୍ନ । ଆକସ୍ମିକ ଯୁଦ୍ଧରେ ଜୀବନ ମୃତ୍ୟୁ କବଳରୁ ଜିତିବାକୁ ଚେଷ୍ଟା କରିବି ଶେଷରେ ପରାଜୟ ସ୍ୱିକାର କରିଛି ଯାହାର ଉଦାହରଣ, ଯାହାର ନମୂନ ନଗ୍ନମାଟିର ମଲାଟ ଉପରେ ପଡିଛି । କାଲି ଯେଉଁ ସ୍ଥାନରେ ଘୋଘା ଥିଲା ଆଜି ସେଠି ଶୂନଶାନ, ଶୂନ୍ୟତା ଆଉ ଲୁହ କୋହର ଛିଟା । ଦଳାଚକଟା ସ୍ଥଳରେ ପଡିଛି ମୃତକଙ୍କ ରକ୍ତର ଛିଡା । ଯିଏ ମରିଯାଇଛି ତା ମୃତଦେହ ଏଠି ନାହିଁ ସତ ହେଲେ ତା ମୃତ୍ୟୁର ମୁକସାକ୍ଷୀ ପାଲଟିଥିବା ଅନେକ ସାମଗ୍ରୀ ଏଇ ମାଟି ଉପରେ ଓଲଟି ପଡିଛି । ଆଉ ଯିଏ ଜୀବନ ନେଇ ବଞ୍ଚିଯାଇଛି ତାର ଜିନିଷ ପତ୍ର ଏ ମାଟିରେ ପଡିଛି ଆଉ ତା ଫେରିବା ବାଟକୁ ଅପେକ୍ଷା କରିଛି ।

ମୃତ୍ୟୁ କେତେବେଳେ ୱି ଆସିପାରେ, କେଉଁ ମୁହୂର୍ତ୍ତରେ ବି ଆସିପାରେ- ମୃତ୍ୟୁ କାହାକୁ କହିକି ଆସେନା କି କାହାକୁ ଜଣେଇ ଆସେନା । ଆକସ୍ମିକ ଆସେ ବୋଲି ତ ଯମ ପାଟିରୁ ଫେରିପାରେନି ଜୀବନ ଯାହା ହାଥରସରେ ହେଇଛି । ସତସଙ୍ଗ ସ୍ଥଳରେ ଏଣେତେଣେ ପଡିଛି ହଳେ ଦିହଳ ଜୋତା । ଯାହା କାହା ମୃତ୍ୟୁର କାହା ଗୁରୁତର ଲୋକର ହୋଇଥିବ । ଦଳାଚକଟାରେ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଛି ଆଉ ସେହି ଶିଶୁମାନଙ୍କ ଜୋତା ହିଁ ଗୋଟେ କାଳ ଦିନର କାହାଣୀ କହୁଛି । କେଉଁଠି ଛୋଟ ପିଲା ଜୋତା ପଡିଛି ତ କେଉଁଠି ବୟସ୍କଙ୍କର । ଲକ୍ଷ ଲକ୍ଷ ଲୋକ ପାଦରେ ଜୋତା ପିନ୍ଧି ଏ ସତସଙ୍ଗକୁ ଆସିଥିଲେ କିନ୍ତୁ ଯିବାବେଳେ ଜୋତା ନେବାକୁ ସେ ମଣିଷ ନାହାନ୍ତି- ହୁଏତ ଏ ଜୋତାର ମାଲିକ ସବୁଦିନ ପାଇଁ ଆଖି ବୁଜି ଦେଇଥିବ କିମ୍ୱା ଗୁରୁତର ହୋଇ ମେଡିକାଲରେ ପଡିଥିବ ।

ଫୁଲେର ଗାଁରେ ଭୋଲେ  ବାବାଙ୍କ ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ଯ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି। ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ ବାହାରିବାକୁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଯାହାର ପରିଣାମ ସ୍ୱରୂପ ଚାରଆଡେ ପଡିଛି ଜିନିଷପତ୍ର । ବିଭିନ୍ନ ସ୍ଥାନରେ ବିଛେଇ ହୋଇ ପଡିଥିବା ଜିନିଷକୁ ଯେତେବେଳେ ଏକାଠି କରାଗଲା ସେତେବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା ତାହା ସତରେ ଦୃଦୟବିଦାରକ । ମୃତ୍ୟୁ ମୁହଁରୁ ବର୍ତ୍ତିବାକୁ ଯିଏ ଯୁଆଡେ ଦୌଡି ପଳାଇଥିବା ବେଳେ କିଏ ବ୍ୟାଗ୍ ତ କିଏ ପାଣି ବୋତଲ ଛାଡି ଦେଇଛି । ତ ପୁଣି କିଏ ଆଣିଥିବା ଖାଦ୍ୟ ଟିଫିନ୍ ବି ନେବାକୁ ସମୟ ପାଇନି । ମାଆଟିଏ ତା ଛୁଆ ପାଇଁ ଆଣିଥିବା କ୍ଷୀର ବୋତଲ ବି ଘଟଣାସ୍ଥଳରେ ପଡିଛି ଯାହାକୁ ସେ ତା ଛୁଆ ପାଇଁ ଆଣିଥିଲା ହେଲେ ମୃତ୍ୟୁର ସେ ତାଣ୍ଡବ ଆଗରେ ମାଆଟି ତା ପିଲା ପାଇଁ ଆଣିଥିବା ସେ ବୋତଲ ବି ଛାଡି ପଳାଇଛି । ହୁଏତ ଯମ ମୁହଁରୁ ମାଆ ଛୁଆ ବର୍ତ୍ତିଥିବେ କିମ୍ୱା ଜୀବନ ହାରିଥିବେ ସେକଥା କାହାକୁ ବି ଜଣାନାହିଁ କିନ୍ତୁ ଏ ବୋତଲ ହିଁ ମାଆ ମମତା ଓ ମୃତ୍ୟୁ ମଝିରେ ମୁକସାକ୍ଷୀ ସାଜି ରହିଯାଇଛି ।

ଉତ୍ତରପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ସେପଟେ ହାଥରସ ଚିକିତ୍ସାଳୟରେ ଗୁରୁତରଙ୍କୁ ଦେଖିବାକୁ ସମ୍ପର୍କୀୟଙ୍କ ଭିଡ ଲାଗିଛି, ଅନ୍ୟପଟେ ଶବ ନେବାକୁ ବି ଆପଣାର ଲୋକଙ୍କ ଶବଗୃହ ଆଗରେ ଲାଇନ ଲାଗିଛି । ଦଳାଚକଟାରେ କିଏ ପୁଅ ହରାଇଛି, କିଏ ମାଆକୁ ହରାଇଛି, ପୁଣି କିଏ ଛୋଟ ଶିଶୁକୁ ହରାଇ କାନ୍ଦୁଛି, ଛାତିପିଟି ନିଜକୁ ଧିକାର କରୁଛି ।