କୋହଲିଙ୍କୁ ମହଙ୍ଗା ପଡିଲା ସ୍ଲେଜିଂ : ମ୍ୟାଚ୍ ଅଧାରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖାଇଲେ ନାଲିଆଖି; ଧମାକାଦାର ଇନିଂସ ଖେଳି ମୁମ୍ୱାଇକୁ ମ୍ୟାଚ୍ ଜିତାଇଦେଲେ ଯାଦବ, ଭାଇରାଲ୍ ହେଉଛି ଭିଡିଓ

7,957

କନକ ବ୍ୟୁରୋ : ଆଇପିଏଲରେ ବିରାଟ କୋହଲିଙ୍କୁ ମିଳିଛି କଡା ଜବାବ । କୋହଲି ମ୍ୟାଚ୍ ଅଧାରେ ସ୍ଲେଜିଂ କଲେ, ଆଉ ଏହାର ମଧୁର ପ୍ରତିଶୋଧ ନେଇ ମୁମ୍ୱାଇ ଇଣ୍ଡିଆନ୍ସକୁ ମ୍ୟାଚ୍ ଜିତାଇ ପ୍ଲେ ଅଫ୍ ରେ ସ୍ଥାନ ପକ୍କା କରାଇଦେଲେ ସୂର୍ଯ୍ୟକୁମାର ଯାଦବ । ଏବେ ସୋସିଆଲ୍ ମିଡିଆରେ ଏହାର ଭିଡିଓ ଏବଂ ଫଟୋ ଭାଇରାଲ୍ ହେଉଛି । ଗତକାଲି ଆଇପିଏଲରେ ରୟାଲ ଚାଲେଂଜର୍ସ ବାଙ୍ଗାଲୋର ଏବଂ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲାରେ ଦେଖିବାକୁ ମିଳିଥିଲା ଏହି ଘଟଣା ।

ଆରସିବିର ୧୬୫ ରନ୍ ଟାର୍ଗେଟକୁ ମୁମ୍ୱାଇ ପିଛା କରୁଥିବା ବେଳେ ୧୩ ତମ ଓଭରରେ ମୁମ୍ୱାଇ ବ୍ୟାଟସ୍ ମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ଏକ ସର୍ଟସକୁ ରୋକିବା ପରେ କୋହଲି ତାଙ୍କୁ ଦେଖାଇଥିଲେ ନାଲିଆଖି । ବ୍ୟାଟିଂ କ୍ରିଜରେ ଥିବା ସୂର୍ଯ୍ୟକୁମାରଙ୍କ ଆଡକୁ କୋହଲି ମାଡି ଆସି ଆଖି ଦେଖାଇ ସ୍ଲେଜିଂ କରିଥିଲେ । ବାସ୍ ଏହା ପରେ ଯାହା ଘଟିଲା ତାହା ଥିଲା ଦେଖିବା ପରେ । ଏହା ପରେ ପରେ ଆରସିବି ବୋଲରଙ୍କୁ ନିର୍ଧୁମ୍ ପିଟିଥିଲେ ସୂର୍ଯ୍ୟକୁମାର ଯାଦବ । ଆଉ ଏକାକି ଆରସିବି ହାତରୁ ମ୍ୟାଚକୁ ବାହାର କରି ନେଲେ । ସୂର୍ଯ୍ୟକୁମାର ଏହି ଇନିଂସରେ ୪୩ ବଲରୁ ଅପରାଜିତ ୭୯ ରନ୍ ର ବିସ୍ଫୋରକ ଇନିଂସ ଖେଳି ମୁମ୍ୱାଇକୁ ବିଜୟ ଦେଇଥିଲେ । ଯେଉଁ ଇନିଂସରେ ଥିଲା ୧୦ ଚୌକା ଓ ୩ ଛକା । ମୁମ୍ୱାଇ ଏହି ମ୍ୟାଚକୁ ୫ ୱିକେଟରେ ଜିତିଲା । ୧୬ ପଏଂଟ ସହିତ ବର୍ତମାନ ପ୍ଲେ ଅଫ୍ ରେ ସ୍ଥାନ ପକ୍କା କରିନେଇଛି ।

ଏବେ ସବୁଠି ଚର୍ଚ୍ଚା ହେଉଛି କୋହଲିଙ୍କୁ ମହଙ୍ଗା ପଡିଲା ସ୍ଲେଜିଂ । ୧୩ ତମ ଓଭରର ଏହି ସ୍ଲେଜିଂ ଘଟିନଥିଲେ ମ୍ୟାଚର ଫଳାଫଳ ଅଲଗା ଆସିଥାନ୍ତା ବୋଲି ଅନେକ କହୁଛନ୍ତି । ନିକଟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ଦଳରେ ସ୍ଥାନ ପାଇ ନାହାନ୍ତି ସୂର୍ଯ୍ୟକୁମାର ଯାଦବ । ଏହି ସ୍ଲେଜିଂ ପରେ ସେ ଏହାର ରାଗକୁ ଆରସିବି ଉପରେ ସୁଝାଇ ଦେଲେ ବୋଲି ସୋସିଆଲ୍ ମିଡିଆରେ ବି ଚର୍ଚ୍ଚା ହେଉଛି ।