ଥାନା ଭିତରେ ଓକିଲଙ୍କୁ ଚାପୁଡ଼ା ମାରିଲେ ପୋଲିସ ବାବୁ : ସୋର ଓ ନୟାପଲ୍ଲୀ ପୋଲିସର ମାଡ଼ ଭିଜୁଆଲ ସିସିଟିଭିରେ କଏଦ

241

କନକ ବ୍ୟୁରୋ : ଥାନା ଭିତରେ ଓକିଲଙ୍କୁ ଚାପୁଡ଼ା ମାରିଲେ ପୋଲିସ ବାବୁ । ସୋର ଓ ନୟାପଲ୍ଲୀ ପୋଲିସର ମାଡ଼ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଗତ ଜୁଲାଇ ୪ ତାରିଖରେ ବାଲେଶ୍ୱର ସୋର ପୋଲିସ ଓ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ କୌଣସି କାରଣ ନଥାଇ ଜଣେ ଆଇନଜୀବୀ ଧୀରେନ୍ଦ୍ର ସାହୁଙ୍କୁ କଲେଜ ଛକ ସ୍ଥିତ ତାଙ୍କ ଭଡ଼ା ଘରୁ ଉଠାଇ ନେଇଥିଲା ପୋଲିସ । ଥାନରେ ନିସ୍ତୁକ ମାରିବା ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ ।

ତେବେ ପୁଣି ମୁହଁରେ ପାଣି ଛାଟି ଚେତା ଫେରାଇବା ପରେ ମାଡ଼ ମାରିଛି ପୋଲିସ । ୧୨ ଘଂଟା ଧରି ଥାନା ଭିତରେ ଅଟକ ରଖିବା ସହ ପୋଲିସ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ର ପୁରା ସତ ଥାନାରେ ଲାଗିଥିବା ସିସିଟିଭରେ କଏଦ ହୋଇଛି ।

ଆଇନଜୀବୀ ଧୀରେନ୍ଦ୍ର ସାହୁଙ୍କ ମାଡ଼ ପ୍ରତିବାଦରେ ୯ ଦିନ ହେବ ଧାରଣାରେ ବସିଛନ୍ତି ଓକିଲ ସଂଘ । କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଓକିଲଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ସୋର ଥାନା ଆଇଆଇସି ମଧୁମିତା ମହାନ୍ତି ଓ ଏସଆଇ ଚନ୍ଦ୍ରଶେଖର ମହାନ୍ତିଙ୍କୁ ଅନ୍ୟତ୍ର ବଦଳି କରିଛି ।

ହେଲେ ମାଡ଼ ମାରିଥିବା ଅଧିକାରୀ ଚନ୍ଦ୍ରଶେଖର ମହାନ୍ତି ଓ ନୟାପଲ୍ଲୀ ଥାନାର ପୋଲିସ କର୍ମଚାରୀ ବିନୋଦ କିଶୋର ବାଲ୍ଲାଙ୍କ ନିଲମ୍ବନ ଦାବି କରିଛି ଓକିଲ ସଂଘ । ଏପରିକି ଭୁବନେଶ୍ୱରରୁ ଆସିଥିବା ମହିଳା ରିମା ରାୟ ସପୃକ୍ତ ଓକିଲଙ୍କୁ ଗାଳି ଗୁଲଜ କରିଥିବାରୁ ତାଙ୍କ ଗିରଫ ଦାବି କରିଛି ।