ସ୍ୱଚ୍ଛ ଭାରତ ଯୋଜନାକୁ ଶକ୍ତ ଚାପୁଡା! ରାତି ପାହିଲେ ଶୌଚ ପାଇଁ କରିବାକୁ ପଡ଼େ ସଂଘର୍ଷ, ପ୍ରଶ୍ନ ଉଠିଲା କେତେ ସଫଳ ସରକାରଙ୍କ ସ୍ଲୋଗାନ‘ ଦରବାଜା ବନ୍ଦ’?

544

କନକ ବ୍ୟୁରୋ: ଏ ଏମିତି ଏକ ସଂଘର୍ଷର କାହାଣୀ ଯାହାକୁ ଯିଏ ଅଙ୍ଗେ ନିଭାଇଛି ସେ ହିଁ ଜାଣିଛି ଏହା କେତେ ଲଜ୍ଜ୍ୟା ଜନକ । ଆମେ କହୁଛି ଖୋଲାରେ ଶୌଚ ଯିବା କଥା । ଆଉ ଯେତେ ବେଳେ ଏହା ମହିଳାଙ୍କ କ୍ଷେତ୍ରରେ ଲାଗୁହୁଏ ତାହା ଆହୁରି ସଂଘର୍ଷ ପୂର୍ଣ୍ଣ । ହେଲେ ଏବେ ଏମିତି ପ୍ରଶ୍ନ କାହିଁକି ଉଠିଲା ଯେତେ ବେଳେ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଯୋଜନାରେ ପ୍ରତି ଘରକୁ ପାଇଖାନା ଯୋଗଇ ଦେଉଛନ୍ତି । ହଁ ଆମେ ସେଥିପାଇଁ କହୁଛୁ ଏହି ସଂଘର୍ଷର କଥା ଯେତେବେଳେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ସ୍ୱଚ୍ଛ ଭାରତ ଯୋଜନାକୁ ଏକ ଶକ୍ତ ଚାପୁଡା ମାରିଛି । ଗୋଟିଏ ପଚାଂୟତର ତିନୋଟି ଗାଁ ଯେଉଁ ଗାଁରେ ପ୍ରଶାସନ ତରଫରୁ ଗୋଟିଏ ହେଲେ ପାଇଖାନା ପ୍ରଦାନ କରାଯାଇ ନାହିଁ  । କିନ୍ତୁ କାଗଜ କଲମରେ ସଂପୂର୍ଣ୍ଣ ଜିଲ୍ଲା ବାହ୍ୟମଳ ତ୍ୟାଗ ମୁକ୍ତ ଗାଁ ବୋଲି ପ୍ରଶାସନର ବଡ ବଡ ହୋଡିଂ ମରାଯାଇଛି ।

ଶୌଚର ସଂଘର୍ଷ ଭରା କାହାଣୀ କିଭଳି ରହିଛି ସେନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତ ପରଖିଛି କନକ ନ୍ୟୁଜ୍ । ବଲିଉଡର ଫିଲ୍ମ ‘ଟଏଲେଟ୍ ଏକ ପ୍ରେମକଥା’ର କାହାଣୀ ଭଳି ସଂଘର୍ଷ କରୁଛନ୍ତି ସୁନ୍ଦରଗଡ ଜିଲ୍ଲାର ସଦର ବ୍ଲକ ୩ଟି ଗାଁର ମଣିଷ । ଫିଲ୍ମରେ ଯେମିତି ସକାଳ ହେବା କ୍ଷଣି ଲୋକେ ହାତରେ ବାଲଟି, ଢାଳ ଧରି ଶୌଚ ପାଇଁ ବାହାରି ପଡୁଥିଲେ ଠିକ୍ ସେମିତି ବାହାରି ପଡୁଛନ୍ତି ସଦର ବ୍ଲକ ଅନ୍ତର୍ଗତ କୋପସିଂହା, ରୂପିଡିହି ଓ ଲଙ୍କାହୁଡାର ଲୋକେ । କିନ୍ତୁ ସ୍ୱଚ୍ଛ ଭାତର ଯୋଜନାରେ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଯାଏଁ ବାହ୍ୟ ମଳମୁକ୍ତ ଲେଖାଥିବା ହୋଡିଂ ଲଗାଇ ଦେଇଛି ପ୍ରଶାସନ । ଯେଉଁଥିରେ ଲେଖାଯାଇଛି ଏହି ତିନୋଟି ଗାଁ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ ଗାଁ । ସମସ୍ତଙ୍କ ଘରକୁ ପାଇଖାନା ଯୋଗାଇ ଦିଆଯାଇଛି । ହେଲେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖିବା ବେଳେ ଜଣା ପଡିଛି ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଓଲଟା ।

ଲୋକଙ୍କ କହିବା ଅନୁସାରେ, ୨୦୧୨ ମସିହାରେ ଏହି ୩ଟି ଗାଁରେ ଅଲଟ୍ରା ମେଗା ପାୱାର ପ୍ଲାଂଟ ପାଇଁ ଇଡକୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଛି । ଅଧିଗହଣର ୮ବର୍ଷ ପରେ ବି ପ୍ରକଳ୍ପ କାର୍ଯ୍ୟକାରୀ ନହେବାରୁ ଗ୍ରାମବାସୀ ବିସ୍ଥାପିତ ହୋଇପାରୁ ନାହାନ୍ତି କି ସରାକରୀ ସୁବିଧା ସୁଯୋଗ ପାଇପାରୁନାହାନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ପାଇଁ ବହୁ ନେହୁରା କଲେ ବି ଦିଆଯାଇ ପାରିବ ନାହିଁ ବୋଲି ପ୍ରଶାସନିକ ସ୍ତରରେ କୁହାଯାଉଛି । ଏଭଳି ସ୍ଥିତିରେ ଗାଁରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସ୍ୱଚ୍ଛ ଭାରତ ଫଳକକୁ ନେଇ କୋପସିଂହା, ରୂପିଡିହି ଓ ଲଙ୍କାହୁଡାରରେ ଅସନ୍ତୋଷ ଦାନା ବାନ୍ଦୁଛି । ସେପଟେ ଏହିସବୁ ଗାଁରେ ଭୁଲରେ ବାହ୍ୟ ମଳମୁକ୍ତ ଗାଁର ବୋର୍ଡ ଲଗାଯାଇଥିବା କହିଛନ୍ତି ସୁନ୍ଦରଗଡ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ।