କନକ ବ୍ୟୁରୋ : ଏସିଆ କପ୍ ସୁପର ୪ ରାଉଣ୍ଡ । ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା । ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ । ପୂର୍ବରୁ ଫାଇନାଲରେ ସ୍ଥାନ ପକ୍କା କରି ସାରିଛି ଟିମ୍ ଇଣ୍ଡିଆ । ଭାରତ-ପାକିସ୍ତାନ ସମ୍ଭାବ୍ୟ ଫାଇନାଲ୍‌ ପଥରେ ପ୍ରତିବନ୍ଧକ ସାଜିଛନ୍ତି ଶ୍ରୀଲଙ୍କା ଓ ବର୍ଷା। ଆଜି ଖେଳାଯିବାକୁ ଥିବା ପାକିସ୍ତାନ ଓ ଶ୍ରୀଲଙ୍କା ମୁକାବିଲା ସେମିଫାଇନାଲ୍ ସଦୃଶ । ଏହି ମ୍ୟାଚ୍‌ର ବିଜେତା ହିଁ ଭାରତ ସହ ଫାଇନାଲ୍ ଖେଳିବ । କିନ୍ତୁ ପ୍ରତିଟି ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ ଉପରେ ମଧ୍ୟ ବ‌ର୍ଷାର ବାଦଲ ଘେରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ଯଦି ଏହି ମ୍ୟାଚ୍‌ରୁ ଫଳାଫଳ ବାହାର କରିବାରେ ପ୍ରତିବନ୍ଧକ ହେବ ତେବେ ଘରୋଇ ଶ୍ରୀଲଙ୍କା ଉନ୍ନତ ରନ୍‌ ହାର ଭିତ୍ତିରେ ଫାଇନାଲ୍‌ ପହଞ୍ଚିଯିବ । ଭାରତ ୨ ମ୍ୟାଚ୍‌ରୁ ୨ ବିଜୟ ଓ ୪ ପଏଣ୍ଟ ସହ ଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି ।

Advertisment

ଅବଶ୍ୟ ଶୁକ୍ରବାର ଭାରତ ଏହାର ଶେଷ ଲିଗ୍‌ ମ୍ୟାଚ୍‌ ବାଂଲାଦେଶ ସହ ଖେଳିବ । ଏହି ମ୍ୟାଚ୍‌ ଗୁରୁତ୍ବହୀନ ହୋଇ ପଡ଼ିଛି । କାରଣ ବାଂଲାଦେଶ ନିଜର ପୂର୍ବ ଦୁଇ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ପାକିସ୍ତାନ ନିକଟରୁ ହାରି ସୁପର୍‌ ଫୋର୍‌ରେ ପଏଣ୍ଟ ଖାତା ‌‌ଖୋଲି ପାରିନାହିଁ । ଆଜି ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଅଧିକ ଚାପ ଓ ଚିନ୍ତାରେ ରହିଛି । କାରଣ ଦଳର ନେଟ୍‌ ରନ୍ ରେଟ୍‌ -୦.୮୯୨ ବହୁ ତଳେ ଥିବାବେଳେ ଶ୍ରୀଲଙ୍କା -୦.୨୦୦ ସାମାନ୍ୟ ଆଗରେ ଅଛି । ସେହି ଦୃଷ୍ଟିରୁ ଫାଇନାଲ ପ୍ରବେଶ ଆଶାରେ ଥିବା ପାକିସ୍ତାନ ଏକ ପୂର୍ଣ୍ଣ ମ୍ୟାଚ୍‌ ସହ ବିଜୟ ଆବଶ୍ୟକ କରିବ। ଶ୍ରୀଲଙ୍କାକୁ ନିଶ୍ଚିତ ବିଜୟ କିମ୍ବା ସମ୍ପୂର୍ଣ୍ଣ ବର୍ଷା ଫାଇନାଲ୍ ନେଇପାରିବ। ଭାରତ ନିକଟରୁ ୨୨୮ ରନ୍‌ରେ ହାରିବା ପାକିସ୍ତାନକୁ ଅଡୁଆରେ ପକାଇଛି ।  ୭୩ ପ୍ରତିଶତ ବର୍ଷା ଆଶଙ୍କା ଥିବାରୁ ଭାରତ-ପାକିସ୍ତାନ ଫାଇନାଲ୍‌ ଆଶାରେ ଥିବା ପ୍ରଶଂସକମାନେ ଦ୍ବନ୍ଦ୍ବରେ ଅଛନ୍ତି ।

ପାକିସ୍ତାନ ପାଇଁ ସବୁଠାରୁ ବଡ଼ ଚିନ୍ତା ମଧ୍ୟ ରହିଛି ଆହତ ସମସ୍ୟା । ଦଳର ଦୁଇ ଦ୍ରୁତ ବୋଲର ହାରିସ୍ ‌ରୌଫ ଏବଂ ନସିମ୍ ସାହା ଆହତ ହୋଇପଡ଼ିଥିବାରୁ ପାକିସ୍ତାନ ସାହାନୱାଜ ଦହାନି ଓ ଜମାନ ଖାନ୍‌ଙ୍କୁ ତୁରନ୍ତ ଡାକିଛି । ନେପାଳ ବିପକ୍ଷରେ ଦଳ ମୁଲତାନରେ ସ୍କୋର୍‌ କରିଥିବା ୩୪୨/୬ ବାଦ୍‌ ପାକିସ୍ତାନର ବ୍ୟାଟିଂ ମଧ୍ୟ ଏସିଆ କପ୍ ସାରା ସେତେଟା ପ୍ରଭାବ ଛାଡ଼ି ପାରିନାହିଁ । ସେହି ଦୃଷ୍ଟିରୁ ବିଶ୍ବର ଏହି ଏକ ନମ୍ବର ଦିନିକିଆ ଦଳ ଏବେ ଚାପରେ ପଡ଼ିଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ଘରୋଇ ପରିବେଶରେ ଭଲ ଖେଳୁଥିବାରୁ ପୂର୍ଣ୍ଣ ମ୍ୟାଚ୍‌ରେ ମଧ୍ୟ ପାକିସ୍ତାନକୁ ଟକ୍କର ଦେବାକୁ ପ୍ରସ୍ତୁତ ରହିଛି। ୱାନିନ୍ଦୁ ହସରଙ୍ଗା, ଦୁଷ୍ମନ୍ତ ଚାମିରା, ଲାହିରୁ କୁମାରାଙ୍କ ଭଳି ପ୍ରଥମ ପସନ୍ଦ ଖେଳାଳିଙ୍କ ବିନା ଅବତୀର୍ଣ୍ଣ ହୋଇଥିବା ଦଳକୁ ଦାସୁନ ସଣକା ଭଲ ସମ୍ଭାଳିଛନ୍ତି । ଦୁନିଥ ୱେଲାଲଗେ, ମଥିସା ପଥିରଣା, ମହେଶ ତୀକ୍ଷଣାଙ୍କ ଭଳି ଯୁବ ଖେଳାଳି ପ୍ରଭାବ ଛାଡ଼ିପାରିଛନ୍ତି । ପାକିସ୍ତାନର ମୁଖ୍ୟ ବୋଲିଂ ଅସ୍ତ୍ର ସାହିନ ସାହ ଆଫ୍ରିଦିଙ୍କୁ ମୁକାବିଲା କରିପାରିଲେ ଶ୍ରୀଲଙ୍କାର ଫାଇନାଲ୍ ପ୍ରବେଶ ପଥ ସରଳ ହୋଇଯିବ ।