କଲମ୍ବୋ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ବିଜୟୀ : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆରେ ଯୁବ ବ୍ରିଗେଡ

116

କନକ ବ୍ୟୁରୋ : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ଦେଇଛି ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ଯୁବ ବାହିନୀ । କଲମ୍ବୋରେ ଖେଳା ଯାଇଥିବା ୩ ଟିକିଆ ସିରିଜର ପ୍ରଥମ ୱାନଡେ’ରେ ୮୦ ବଲ ବାକି ଥାଇ ସହଜ ବିଜୟ ହାସଲ କରିଛି ଭାରତ । ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୬୨ ରନ୍ କରିବାକୁ ସମର୍ଥ ହୋଇଥିଲା ସିଂହଳୀ ଦଳ । ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନମାନେ ଭଲ ଆରମ୍ଭ କରିଥିଲେ ବି ନିୟମିତ ଭାବେ ୱିକେଟ ହରାଇଥିଲେ । କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ଫଳରେ ଭାରତ ଆଗରେ ବଡ଼ ଟାର୍ଗେଟ ଦେଇ ପାରିନଥିଲେ ।

ଚାମିକା କରୁଣାରତ୍ନେ ସର୍ବାଧିକ ୪୩ ରନ୍ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଦୀପକ ଚହର, ଯୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ୨୬୩ ରନର ବିଜୟ ଲକ୍ଷ୍ୟ ରଖି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଦୁଇ ଓପନରଙ୍କ ଚମତ୍କାର ବ୍ୟାଟିଂ ବିଜୟକୁ ସହଜ କରି ଦେଇଥିଲା । ପୃଥ୍ୱୀ ସ’ ଧୁଆଁଧାର ବ୍ୟାଟିଂ କରି ମାତ୍ର ୨୪ ବଲରେ ୪୩ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ଶିଖର ଧାୱନ ଅପରାଜିତ ୮୬ ରନ୍ କରିଥିବା ବେଳେ ଇଶାନ୍ କିଶନ୍ ୫୯ ରନ୍ କରିଥିଲେ । ୩୬ ଓଭର ୪ଟି ବଲରେ ମାତ୍ର ୩ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା ଟିମ୍ ଇଣ୍ଡିଆ । ପୃଥ୍ୱୀ ସ’ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।