ଆଜି ଲକ୍ଷ୍ନୌରେ ଚାଷୀଙ୍କ ମହାପଞ୍ଚାୟତ : ଅନ୍ୟପଟେ ୬ ଦଫା ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚାଷୀ ସଂଗଠନର ଚିଠି

୬ଦଫା ଦାବି ପୂରଣ ପାଇଁ ପ୍ରସ୍ତାବ

111

କନକ ବ୍ୟୁରୋ : ଆଜି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ମହାପଂଚାୟତ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା । ଯଦିଓ ତିନି କୃଷି ଆଇନ୍ ପ୍ରତ୍ୟାହାର ହୋଇଛି ହେଲେ ସମସ୍ତ ଦାବି ପୂରଣ ହୋଇନି ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି । ଏମଏସପିକୁ ଆଇନରେ ପରିଣତ କରିବାକୁ ଦାବି, ଲଖିମପୁର ଖେରୀ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ଦାବି କରି ଏହି ମହାପଂଚାୟତର ଲକ୍ଷ୍ୟ ରହିଛି ।

ଚାଷୀଙ୍କ ଆଖୁକୁ ଏମଏସପି ଦରରେ କିଣାଯାଉନି ଅନେକ ଚାଷୀ ଆନ୍ଦୋଳନ ବେଳେ ମୃତ୍ୟୁ ବରଣ କରିଛନ୍ତି । ତେଣୁ ୟୁପି ସରକାର ସମସ୍ତ ଦାବି କିଭଳି ପୂରଣ ହେବ ସେ ନେଇ କେନ୍ଦ୍ରକୁ ଚିଠି ଲେଖୁ ବୋଲି ରାକେଶ ଟିକାୟତ କହିଛନ୍ତିା ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ରହିଛି । ତେଣୁ ଏହି ରାଲି ଅନେକ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ । ସେପଟେ, ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଛାମୁଆ କୃଷକ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ।

୬ ଦଫା ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଚାଷୀ ସଂଗଠନ । ଦାବି ରହିଛି, ଏମଏସପି ପାଇଁ ଆଇନ ଅଣାଯାଉ । ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଯେମିତି ଚାଷୀ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବେ ତାହାକୁ ଗ୍ୟାରେଂଟି ଦିଆଯାଉ । ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୧ ଅଧିନିୟମର ପ୍ରତ୍ୟାହାର କରାଯାଉ । ନଡା ନଜଳାଇବା ନେଇ ଚାଷୀଙ୍କ ଉପରୁ ମାମଲା ହଟାଇ ଦିଆଯାଉ । ଆନ୍ଦୋଳନରେ ସାମିଲ ହୋଇଥିବା ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯାଉ ।

ଆନ୍ଦୋଳନବେଳେ ମୃତ୍ୟୁବରଣ କରିଥିବା ୭ଶହ ଚାଷୀ ପରିବାରକୁ କ୍ଷତିପୂରଣ । ସ୍ମୃତି ସ୍ଥଳ ନିର୍ମାଣ ପାଇଁ ଜମି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର କରାଯାଉ । ଆସନ୍ତା ୨୪ରେ କ୍ୟାବିନେଟ ବସିବ ଓ ଏହିଦିନ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରିବେ । ସେପଟେ ୨୭ ତାରିଖରେ ଚାଷୀ ସଙ୍ଗଠନମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ଆନ୍ଦୋଳନର ଭବିଷ୍ୟତ ନେଇ ନିଷ୍ପତି ନିଆଯିବ । ତେବେ ଏହା ପୂର୍ବରୁ ଚାଷୀ ସଂଗଠନର ଏହି ଚିଠି ଚର୍ଚ୍ଚାର ବିଷୟ ହୋଇଛି ।