ଏମଏସପି ପାଇଁ ସ୍ୱତନ୍ତ୍ର କମିଟି କଲେ ଚାଷୀ ସଂଗଠନ : ୭ ତାରିଖରେ ସରକାରଙ୍କ ସହ ହୋଇପାରେ ଆଲୋଚନା

Advertisment
ଏମଏସପି ପାଇଁ ସ୍ୱତନ୍ତ୍ର କମିଟି କଲେ ଚାଷୀ ସଂଗଠନ : ୭ ତାରିଖରେ ସରକାରଙ୍କ ସହ ହୋଇପାରେ ଆଲୋଚନା

କନକ ବ୍ୟୁରୋ : ଚାଷୀମାନଙ୍କ ବିଭିନ୍ନ ଦାବି ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ରାତିରେ ଚାଷୀ ନେତାଙ୍କୁ ଫୋନ୍‌ କରିଥିଲେ। କୃଷି ଆଇନ ପ୍ରତ୍ୟାହାର ପାଇଁ ସେମାନେ କରିଥିବା ବର୍ଷେ ବ୍ୟାପୀ ଆନ୍ଦୋଳନ ସଫଳ ହୋଇଛି। କିନ୍ତୁ ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ଚାଷୀ ନେତାମାନେ ଆନ୍ଦୋଳନ ଜାରି ରଖିଥିବାରୁ ସରକାର ଏହାର ସମାଧାନ ଚାହୁଛନ୍ତି ବୋଲି ଶାହ କହିଥିଲେ ।

ଏମ୍‌ଏସ୍‌ପି ବାବଦରେ ଆଲୋଚନା ପାଇଁ ଶାହ ଏକ କମିଟି ଗଠନ କରିବାପାଇଁ ଚାଷୀ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ଶାହଙ୍କ ଫୋନ୍‌ କଲ୍‌ ପରେ ସଂଯୁକ୍ତ କିଷାନ ମୋର୍ଚ୍ଚା ୫ ଜଣିଆ ସଦସ୍ୟ ବିଶିଷ୍ଠ ଏକ କମିଟି ଗଠନ କରିଛି। ଏହି କମିଟି ଏମ୍‌ଏସ୍‌ପି ଓ ଅନ୍ୟ ପ୍ରସଙ୍ଗରେ ସରକାରଙ୍କ ସହ କଥାବାର୍ତ୍ତା କରିବ ବୋଲି ବିକେୟୁ ନେତା ରାକେଶ ଟିକାୟତ କହିଛନ୍ତି । କମିଟିରେ ଥିବା ୫ ଜଣ ସଦସ୍ୟ ହେଉଛନ୍ତି ବଲବୀର ସିଂହ ରାଜେୱାଲ, ଶିବ କୁମାର କକ୍କା, ଗୁର୍ନମ ସିଂହ ଚରୁନୀ, ଯୁଦ୍ଧବୀର ସିଂହ ଏବଂ ଅଶୋକ ଧୱାଲେ। ଏସ୍‌କେଏମ୍‌ର ପରବର୍ତ୍ତୀ ବୈଠକ ଡିସେମ୍ବର ୭ ତାରିଖରେ ହେବ।

ଏହି ବୈଠକରେ ନିର୍ଣ୍ଣାୟକ ଆଲୋଚନା ହେବ ଏବଂ ଯଦି କିଛି ସମାଧାନର ପନ୍ଥା ବାହାରେ ତେବେ କୃଷକମାନେ ଘରକୁ ଫେରିଯିବେ ବୋଲି ଯୁଦ୍ଧବୀର ସିଂହ କହିଛନ୍ତି। ଉଲ୍ଲେଖଯୋଗ୍ୟ, କୃଷକଙ୍କ ଦାବି ଶୁଣିବାପାଇଁ ଟିକାୟତ ଗତମାସରେ ସରକାରଙ୍କୁ ଡିସେମ୍ବର ୪ ପର୍ଯ୍ୟନ୍ତ ସମୟ ଦେଇଥିଲେ । ଟିକାୟତ ଦେଶରେ ସାର ଅଭାବ ପ୍ରସଙ୍ଗ ଉଠାଇଛନ୍ତି । ଟିକାୟତ କହିଛନ୍ତି, ଦେଶରେ ସାର ଅଭାବ ଦେଖାଦେଇଛି। ଏହା ଶସ୍ୟ ଉତ୍ପାଦନକୁ ପ୍ରଭାବିତ କରିବ। ଏହାପରେ ସରକାରଙ୍କୁ ଅନ୍ୟ ରାଷ୍ଟ୍ରରୁ ଶସ୍ୟ ଆମଦାନୀ କରିବାକୁ ପଡ଼ିବ। ଦେଶରେ ଯଦି ଉତ୍ପାଦନ କମେ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଟିକାୟତ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe