ଯାଆଁଳା ଫାଣ୍ଡି ପରିସରରେ ଗାଡିରୁ ନରକଙ୍କାଳ ଉଦ୍ଧାର ଘଟଣା: ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନିଲମ୍ବିତ

୨୦୧୯ରୁ ଫାଣ୍ଡି ପରିସରରେ ଥିଲା ଗାଡି । ତାରି ଭିତରେ କେମିତି ହେଲା ଜଣଙ୍କର ମୃତ୍ୟୁ ଆଉ ଜାଣିପାରିଲାନି ପୋଲିସ ବଢିଲା ସନ୍ଦେହ

755

କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରେ ଗାଡି ଭିତରୁ ନରକଙ୍କାଳ ମିଳିବା ଘଟଣାରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ତେବେ ତାଙ୍କ କହିବା ହେଲା, ଗଞ୍ଜାମ ପୋଲିସର ଏକ ସିଜର ଗାଡି ଥାନା ପରିସରରେ ରହିଥିଲା । ୨୦୧୯ ମସିହାରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଏହି ଗାଡିକୁ ସିଜ କରିଥିଲା ପୋଲିସ । ଫେବ୍ରୁଆରୀ ମାସରେ ଗାଡି ନେବାପାଇଁ ଆସିବାବେଳେ ଗାଡିରେ ଏକ ନରକଙ୍କାଳ ଥିବା ଦେଖିବାକୁ ମିଳିଲା ।

ଏହାପରେ ସଙ୍ଗେ ସଙ୍ଗେ ସାଇଣ୍ଟିଫିକ ଟିମକୁ ଡାକି କଙ୍କାଳର ଯାଂଚ କରାଯିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଭୁବନେଶ୍ୱର ସ୍ଥିତ ଏମ୍ସକୁ ପଠାଯାଇଥିଲା । ଏବେ ଏହାର ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି । ମୃତକଙ୍କ ବୟସ ୪୫ ବର୍ଷ ପାଖାପାଖି ବୋଲି ଜଣାପଡିଛି । ଏଥିସହ ତାଙ୍କର ଟିବି ଥିଲା ଏବଂ ସ୍ୱାଭାବିକ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ।

ତେବେ ମୃତକଙ୍କ ପରିଚୟ ପାଇବାକୁ ଅନୁସନ୍ଧାନ ଚଳାଇଛି କମିଶନରେଟ୍ ପୋଲିସ । ଏଥିପାଇଁ ଆଖପାଖ ଅଂଚଳରେ ପଚରା ଉଚରା କରିବା ସହ ଥାନାଗୁଡିକୁ ଖବର ଦିଆଯାଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ ।