କନକ ବ୍ୟୁରୋ: ରଥଯାତ୍ରାକୁ ସୁରୁଖୁରରେ ସମ୍ପଣ୍ଣ କରିବା ପାଇଁ ଛତିଶାନିଯୋଗ କର୍ମକର୍ତାଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି । କିଭଳି ଶାନ୍ତିଶୃଙ୍ଖଳାର ସହ ଘୋଷଯାତ୍ରା ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରିଛନ୍ତି । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତିି ସେବାୟତ । ଅନ୍ୟପଟେ ସେମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।
ସେପଟେ, ଜୁଲାଇ ୧୪ରୁ ଆରମ୍ଭ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ସାରା ରାଜ୍ୟରେ ‘ସ୍ୱଚ୍ଛ ରଥ ଯାତ୍ରା’ ଭାବେ ପାଳନ କରାଯିବ। ସ୍ୱଚ୍ଛ ଭାରତ ଅଭିଯାନରେ ରଥ ଯାତ୍ରାକୁ ସ୍ୱଚ୍ଛ ରଥ ଯାତ୍ରା ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେବା ପରେ ସ୍ୱଚ୍ଛ ଭାରତ ମିସନର ମୁଖ୍ୟ ପରମେଶ୍ୱର ଆୟର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଏନେଇ ଚିଠି ଲେଖିଛନ୍ତି। ଏହାପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ପୁରୀ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱଚ୍ଛ ରଥ ଯାତ୍ରା ପାଳନ ହେବ। ଆସନ୍ତା ରଥ ଯାତ୍ରାକୁ ସ୍ୱଚ୍ଛ ରଥ ଯାତ୍ରା ଭାବେ ପାଳନ କରିବାକୁ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଗତକାଲି ୫ଟି ଯାକ ମହାନଗର ନିଗମ, ସମସ୍ତ ଜିଲ୍ଳାପାଳ ଏବଂ ସମସ୍ତ ପୌରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ଏନେଇ ଅବଗତ କରାଇଛନ୍ତି।
ସମସ୍ତ ସହରାଞ୍ଚଳରେ ଯେଉଁଠି ରଥ ଯାତ୍ରା ପାଳନ ହେବ ସେଠାରେ ସ୍ୱଚ୍ଛ ଭାରତ ମିସନ୍ ଷ୍ଟଲ୍ ଖୋଲାଯିବ। ସ୍ୱେଚ୍ଛାସେବୀମାନେ ଯାତ୍ରାରେ ସାମିଲ୍ ହେଉଥିବା ଲୋକଙ୍କୁ କିପରି ସେମାନଙ୍କ ଘର ଏବଂ ପାରିପାର୍ଶ୍ୱିକ ଅଞ୍ଚଳକୁ ସଫାସୁତରା ରଖିବେ ସେନେଇ ପରାମର୍ଶ ଦେବେ। କିପରି ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ଡଷ୍ଟବିନରେ ପକାଇବେ, ତରଳ ବର୍ଜ୍ୟବସ୍ତୁକୁ କିପରି ବିଶୋଧନ କରିବେ, ପ୍ଲାଷ୍ଟିକ ବ୍ୟବହାର ନ କରିବେ ସେନେଇ ପରାମର୍ଶ ଦେବେ। ଏହାସହ ବାହାରେ ମଳତ୍ୟାଗ ନକରିବାକୁ ପରାମର୍ଶ ଦେବାକୁ କୁହାଯାଇଛି। ସ୍ୱଚ୍ଛ ରଥ ଯାତ୍ରା ପାଇଁ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମର ଅର୍ଥ ସ୍ୱଚ୍ଛ ଭାରତ ମିସନ୍ ପାଣ୍ଠିରୁ ଖର୍ଚ୍ଚ ହେବ।
Follow Us
/kanak/media/post_attachments/wp-content/uploads/2018/07/ratha-750x430-300x172.jpg)
/kanak/media/post_attachments/wp-content/uploads/2018/07/vlcsnap-2018-07-04-09h48m39s303-300x240.png)