ମହାପ୍ରଭୁଙ୍କ ରଥର ଚକ ନେବାକୁ ଆଗ୍ରହ ଦେଖାଉନାହାନ୍ତି ସାଧାରଣ ଲୋକ । ବର୍ଷ ବର୍ଷ ଧରି ପଡି ରହିଛି ଶତାଧିକ ଚକ । ସରକାରୀ ଅଫିସକୁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସନ ।

292

କନକ ବ୍ୟୁରୋ: ରଥଯାତ୍ରା ପରେ ନଷ୍ଟ ହେଉଛି ମହାପ୍ରଭୁଙ୍କ ରଥ ଚକ ସମେତ ରଥର ବିଭିନ୍ନ ଅଂଶ । ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ଦେଇ କେହି ଏସବୁକୁ କିଣି ନନେବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଏହା ଖତ ଖାଉଛି । ତେବେ ଏନେଇ ଅସନ୍ତୋଷ ବଢ଼ିବା ପରେ ରଥ ଚକ ସମେତ ଅନ୍ୟାନ୍ୟ ଅଂଶକୁ ବିଭିନ୍ନ ମଠ, ମନ୍ଦିର ,ଧାର୍ମିକ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟକୁ ଦାନ ସୂତ୍ରରେ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଖରେ ଖତ ଖାଉଛି ମହାପ୍ରଭୁଙ୍କ ତିନିରଥର ଏକାଧିକ ଚକ । ଯେଉଁ ରଥର ପ୍ରତିଟି ଅଙ୍ଗ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନା ସହ ଜଡିତ, ସେସବୁର କିଛି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତତ୍ପରତା ଦେଖାଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ, ଶ୍ରୀଗୁଣ୍ଡିଚା ମନ୍ଦିରରେ ପଡି ନଷ୍ଟ ହେଉଥିବା ରଥ ଚକ, ଗୁଜ ଆଦିକୁ ଦାନ ସୂତ୍ରରେ ଦେବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ପ୍ରଶାସନ, ପରିଚାଳନା କମିଟି ଓ ସେବାୟତଙ୍କୁ ନେଇ ବସିଥିବା ସ୍ୱତନ୍ତ୍ର ବୈଠକରେ ଏକ ସ୍ୱତନ୍ତ୍ର ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି । ରଥଚକ କେଉଁମାନଙ୍କୁ ଦାନ କରାଯିବ ସେଥିପାଇଁ ଚିଠାରେ ବ୍ୟବସ୍ଥା କରାଯାଇଛି ।

୨୦୧୭ ମସିହାରେରେ ରଚ ଚକ ଓ ବିଭିନ୍ନ ଅଂଶକୁ ବିକ୍ରି କରିବା ପାଇଁ ଦର ଧାର୍ଯ୍ୟ ହୋଇଥିଲା । ରଥ ଚକର ଦାମ ୫୦ ହଜାର ଟଙ୍କା , ପ୍ରଭା ୨୫ ହଜାର ଟଙ୍କା ଓ ଗୁଜ ୧୦ ହଜାର ଟଙ୍କା ରଖାଯାଇଥିଲା । ଇଛୁକ ଭକ୍ତ ବା ଅନୁଷ୍ଠାନ ଧାର୍ଯ୍ୟ କରିଥିବା ଟଙ୍କା ଦେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରୁ ରଥର ଅଂଶ କିଣି ନେଉଥିଲେ ଭକ୍ତ । କିନ୍ତୁ ଏହି ଦର ଅଧିକ ରହିଥିବାରୁ କିଛି ବର୍ଷ ହେବ ଭକ୍ତ ତଥା ଆଗ୍ରହୀ ଅନୁଷ୍ଠାନମାନେ ରଥ ଚକ ଓ ଅନ୍ୟାନ୍ୟ ଅଂଶକୁ କିଣିବାକୁ ଇଛା ପ୍ରକାଶ କରିନଥିଲେ । ବିକ୍ରି ନହେବାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପଡି ଖତ ଖାଉଛି ରଥ ଚକ ଓ ଅନ୍ୟାନ୍ୟ ଅଂଶ ।

ତେବେ ରଥ ଚକ ନେବାକୁ ଆବେଦନ କରିବାକୁ ପଡିବ । ଏଥିପାଇଁ ନିର୍ଦ୍ଧିଷ୍ଟସୀମା ରହିବ । ଆବେଦନପତ୍ରକୁ ତର୍ଜମା କରିବା ପରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନ ସୂତ୍ରରେ ଦିଆଯିବ । ସେହିପରି ଯେଉଁମାନେ ଏସବୁକୁ ଦାନସୂତ୍ରରେ ଗ୍ରହଣ କରିବେ ସେମାନଙ୍କ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସଂରକ୍ଷଣ ନିୟମକୁ ମାନିବାକୁ ପଡିବ ।