ୟେସ ବ୍ୟାଙ୍କରେ ମହପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ: ଅର୍ଥସଚିବ କହିଲେ, ରିଜର୍ଭ ବ୍ୟାଙ୍କ ସହ ହୋଇଛି ଆଲୋଚନା, ସୁରକ୍ଷିତ ଥିବା ଆଶ୍ୱସନା ଦେଇଛି ଆରବିଆଇ

239

କନକ ବ୍ୟୁରୋ: ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ସୁରକ୍ଷିତ ତ? ଏହାକୁ ନେଇ ସାରା ରାଜ୍ୟରେ କମ୍ପନ ସୃଷ୍ଟି ହେବା ପରେ ରାଜ୍ୟ ସରକାର ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କରିଛନ୍ତି । ଅର୍ଥ ସଚିବ କହିଛନ୍ତି, ଜଗନ୍ନାଥଙ୍କ ଟଙ୍କା ନେଇ ଶ୍ରୀମନ୍ଦିର ପ୍ରଶାସନ ଆରବିଆଇ ସହିତ କଥା ହୋଇଛି । ସେ ନିଜେ ମଧ୍ୟ ଆରବିଆଇ ସହିତ କଥା ହୋଇଛନ୍ତି ଓ ଚିଠି ଲେଖିଛନ୍ତି । ସବୁ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଥିବା ରିଜର୍ଭ ବ୍ୟାଙ୍କ ଆଶ୍ୱସନା ଦେଇଛନ୍ତି । ସରକରୀ ବିଭାଗ ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ ମନା କରାଯାଇଥିଲା । ଯେଉଁ ବିଭାଗ ରଖିଛନ୍ତି ତାଙ୍କ ରିସ୍କରେ ରଖିଥିବେ । ସବୁଠାରୁ ବଡ କଥା ହେଉଛି , ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ବିଭିନ୍ନ ସଂସ୍ଥା ଓ ଅଫିସର ସରକାରୀ ଅର୍ଥ ଜମା କରୁଥିବା ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ଅର୍ଥ ବିଭାଗ । କେଉଁ ବିଭାଗ କେଉଁ କେଉଁ ବ୍ୟାଙ୍କରେ କେତେ ଟଙ୍କା ଜମା କରିଛନ୍ତି ତାର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ସୁରକ୍ଷିତ ନଥିବା ଖବର ସାମନାକୁ ଆସିବା ପରେ ସରକାରଙ୍କୁ ଘେରିଛି ବିଜେପି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପଚାରିଛନ୍ତି ବ୍ୟାଙ୍କ ବୁଡିବାକୁ ବସିଥିବା ଜାଣିବା ସତ୍ୱେ କାହିଁକି ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିଲେ ସରକାର । ସରକାର ମହାଭୁଲ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ହଡପ କରିଛନ୍ତି । ଏବେ ଏହାର ଉତର ଦାୟିତ୍ୱ କିଏ ନେବ । ଦେବୋତ୍ତର ବିଭାଗ ନା ମନ୍ତ୍ରୀ । ଡିପୋଜିଟ୍ ସ୍ୱାପିଙ୍ଗରେ ଅନିୟମିତତା ହୋଇଛି । ତେଣୁ ଏହାର ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରିବା ସହ ଶ୍ୱେତପତ୍ର ପ୍ରକାଶ କରିବାକୁ ସେ ଦାବି କରିଛନ୍ତି ।

ସେପଟେ ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବେସରକାରୀ ବ୍ୟାଙ୍କରେ ଟଙ୍କା ରଖିବାର ଆଇନ ନାହିଁ । କେଉଁ ପରିସ୍ଥିତିରେ ଟଙ୍କା ରଖାଗଲା ତାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ୩ ମାସ ହେଲା ୟେସ ବ୍ୟାଙ୍କର ଅବସ୍ଥା ଜଣାପଡିଲାଣି ତିରୁପତି ମନ୍ଦିର ଟଙ୍କା ନେଇ ଆସିଲାଣି ଏମାନେ ଭୃକ୍ଷେପ କରିନାହାନ୍ତି । ଏହା ଭିତରେ ଗୁଢ ରହସ୍ୟ ଅଛି । ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ସୁରକ୍ଷିତ କି ନାହିଁ ତାହା ସରକାର ଜଣାନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ।